ପହିଲାରୁ ଖୋଲିବ କୁଲଡିହା: ପର୍ଯ୍ୟଟକ ଆଗ୍ରହୀ
ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବାଲେଶ୍ବର ଜିଲାର କୁଲଡିହା ଅଭୟାରଣ୍ୟ ଖୋଲିବ। ଏ ନେଇ ବନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି।ଏଠାରେ ୨୭୨.୭୫ବର୍ଗ କିମି ପରିବ୍ୟାପ୍ତ ଘଞ୍ଚ ଶାଳବଣର ସବୁଜିମା, ପକ୍ଷୀଙ୍କ କଳରବ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ। ଏଥିପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବହୁ ସଂଖ୍ୟକ ପର୍ଯ୍ୟଟକ କୁଲଡିହାକୁ ଧାଇଁ ଆସିଥାନ୍ତି।୨୭୨.୭୫ ବର୍ଗ କିମି ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ ଭିତରେ ହାତୀ, ଭାଲୁ, ଗୟଳ, ବାଘ, ହରିଣ, ନୀଳଗାଈ,କୁଟାରି, ବାର୍ହା ପ୍ରଭୃତି ବନ୍ୟଜନ୍ତୁଙ୍କ ସହ ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶାଗତ ପକ୍ଷୀ ବାସ କରୁଛନ୍ତି।
ଏମାନଙ୍କୁ ନିକଟରୁ ଦେଖିବା ତଥା ଜଙ୍ଗଲ ଭିତରେ ପରିଭ୍ରମଣ କରି ପ୍ରାକୃତିକ ସୌନ୍ଦର୍ଯର ଉପଭୋଗ କରି ଫଟୋ ଉତ୍ତୋଳନ କରିବା ଉଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ।
