ପାଚିଲା ଆମ୍ବକୁ ସାବଧାନ୍ ! ଖାଇଲେ ହୋଇପାରେ ଚର୍ମରୋଗ, କ୍ୟାନସର ଭଳି ମାରାତ୍ମକ ରୋଗ

ପାଚିଲା ଆମ୍ବକୁ ସାବଧାନ୍ । ନିଷେଧ ସତ୍ତ୍ୱେ ଚାଲିଛି କାର୍ବାଇଡ଼୍ ବ୍ୟବହାର । ବର୍ତ୍ତମାନ ଆମ୍ବ ସିଜିନ୍ ଚାଲିଛି । ବଜାରରେ ଭଳିକି ଭଳି ପାଚିଲା ଆମ୍ବ ପସରା ମେଲାଇ ବସିଛନ୍ତି ଦୋକାନୀ । କିନ୍ତୁ ଚଳିତ ବର୍ଷ ଆମ୍ବ ଦର ଅଧିକ ରହିଥିଲେ ମଧ୍ୟ ଲୋକେ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି ।

କିନ୍ତୁ ବଜାରରେ ମିଳୁଥିବା ପାଚିଲା ଆମ୍ବ କେତେ ଯେ କ୍ଷତିକାରକ ତାହା ପରଖିବାକୁ କାହା ପାଖରେ ସମୟ ନାହିଁ । କାରଣ ଏବେ ବଜାରରେ ମିଳୁଥିବା ପାଚିଲା ଆମ୍ବରେ କ୍ୟାଲସିୟମ୍ କାର୍ବାଇଡ୍ ବ୍ୟବହାର କରାଯାଉଛି ।

ଆମ୍ବ ପଚାଇବା ପାଇଁ ଏହକୁ ବ୍ୟବହାର କରୁଛନ୍ତି ବ୍ୟବସାୟୀ । ବାର୍ବାଇଡ଼୍ ବ୍ୟବହାର ଉପରେ ନିଷେଧାଦେଶ ଥିଲେ ମଧ୍ୟ ବ୍ୟବସାୟୀ ମାନେ ଖୋଲାଖୋଲି ଏହି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି । ଖାଦ୍ୟ ସୁରକ୍ଷା ବିଭାଗ ନିୟମିତ ଯାଞ୍ଚ କରିବାର ନିୟମ ଥିଲେ ମଧ୍ୟ ଫଳ ବ୍ୟବସାୟୀଙ୍କ ଏଭଳି କାଣ୍ଡ ବିଭାଗୀୟ ଅଧିକାରୀଙ୍କ ନଜରରେ ପଡ଼ୁନାହିଁ । ଫଳରେ ପାଚିଲା ଆମ୍ବ ଖାଉ ଖାଉ ଲୋକେ ବିଷାକ୍ତ ଖାଦ୍ୟ ପ୍ରଭାବରେ ବିଭିନ୍ନ ରୋଗ କିଣୁଛନ୍ତି ।

ଆମ୍ବ ଓ କଳୀ ଭଳି ଫଳ ପଚାଇବା ପାଇଁ ବ୍ୟବହାର ହେଉଥିବା କ୍ୟାଲସିୟମ୍ କାର୍ବାଇଡ଼ କ୍ୟାନସର ଭଳି ମାରାତ୍ମାକ ରୋଗର କାରଣ ହୋଇପାରେ ।ବ୍ୟବସାୟୀ ମାନେ ଆମ୍ବ, ଅମୃତଭଣ୍ଡା, କଦଳୀ, ଲିଚୁ ଆଦି ଫଳକୁ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଡ୍ ବ୍ୟବହାର କରୁଛନ୍ତି । ଅଧିକାଂଶ ଫଳ ବାହାର ରାଜ୍ୟରୁ ଆସୁଥିବା ବେଳେ ପାଚିଲା ଫଳ ଆଣି ବିକ୍ରି କରିବା ସମ୍ଭବ ହେଉନାହିଁ । ତେଣୁ କଂଚା ଫଳକୁ କାର୍ବାଇଡ଼୍ ଦେଇ ପଚାଇ ବିକ୍ରି କରୁଛନ୍ତି ବ୍ୟବସାୟୀ ।