ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପାଣ୍ଡିଆନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ ଆସନ୍ତା ୬ ତାରିଖ ସୁଦ୍ଧା ସମସ୍ତ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିବାକୁ ଅଭିଯୋଗକାରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ୨୦୨୪ ଫେବୃୟାରୀ ୮ତାରିଖରେ ରାଜ୍ୟ ଗୃହ ସଚିବଙ୍କ ନିକଟରେ ଦାଖଲ କରାଯାଇଥିବା ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି ହୋଇଛି । ବିଏନ୍‌ଏସଏସର ଧାରା ୯୪ ଅନ୍ତର୍ଗତ ଡିସେମ୍ବର ୧୫ତାରିଖରେ ଏହି ନୋଟିସ୍ ଜାରି କରିଛନ୍ତି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସପି ସନ୍ତୋଷ କୁମାର ଗୌଡ଼ । ଅଭିଯୋଗ ଅନୁଯାୟୀ, ଫାଇଭ-ଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ସମୟରେ ପାଣ୍ଡିଆନ ବିଭିନ୍ନ ସଭା ଓ କାର୍ଯ୍ୟକ୍ରମରେ ବେଆଇନ ଭାବେ ସରକାରୀ କ୍ଷମତାର ଅପବ୍ୟବହାର କରିଥିଲେ । ପାଣ୍ଡିଆନ ସରକାରୀ ତହବିଲରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରି ହେଲିକପ୍ଟର ଗସ୍ତ ସହ କାର୍ଯ୍ୟକ୍ରମ ଆୟୋଜନ କରିଥିବା ନେଇ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ।