ପୁଣି ନନ୍ଦନକାନରେ ପର୍ଯ୍ୟଟକମାନେ ରୋପ୍‌ଓ୍ବେର ମଜା ନେବେ।

ପୁଣି ନନ୍ଦନକାନରେ ପର୍ଯ୍ୟଟକମାନେ ରୋପ୍‌ଓ୍ବେର ମଜା ନେବେ।ଶୁକ୍ରବାର ଅପରାହ୍ନରେ ଉଦ୍‌ଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ନନ୍ଦନକାନନରୁ ବଟାନିକାଲ ଗାର୍ଡେନ ମଧ୍ୟରେ ଥିବା କଞ୍ଜିଆ ହ୍ରଦ ଉପରେ ଚାଲିବାକୁ ଥିବା ଏହି ରୋପ ଓ୍ବେ ଦୀର୍ଘ ଦିନରୁ ବନ୍ଦ ରହିଥିଲା। ଏହି ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କଲିକତାର ଏକ ଘରୋଇ ସଂସ୍ଥା ଦାମୋଦର ରୋପୱେଜ ଇନଫ୍ରା ଲିମିଟେଡ୍‌‌ ସହିତ ୨୦୨୧ରେ ଚୁକ୍ତିନାମା କରାଯାଇଥିଲା। ଚୁକ୍ତିନାମା ଅନୁସାରେ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି।ନଭେମ୍ବର ୧୮ ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଏହି ସୁବିଧା ମିଳିବ।ଏଥିରେ ସମୁଦାୟ ୧୨ଟି କ୍ୟାବିନ ବ୍ୟବସ୍ଥା ହୋଇଥିବାବେଳେ ୭୨ଜଣ ପର୍ଯ୍ୟଟକ ବସିପାରିବେ। ଏହି ରୋପ୍‌ଓ୍ବେ ନନ୍ଦନକାନନରୁ ବାହାରି କାଞ୍ଜିଆ ହ୍ରଦ ଉପରେ ବୁଲିବାବେଳେ ହ୍ରଦର ପ୍ରାକୃତିକ ପରିବେଶକୁ ଉପଭୋଗ କରିହେବ।

ଟିକେଟ ମୂଲ୍ୟ ୧୨୦ ଟଙ୍କା ଧାର୍ଯ୍ୟ ହୋଇଛି। ଏହାସହ ନନ୍ଦନକାନନ ପଟରୁ ରୋପ୍‌ୱେରେ ବସି ବଟାନିକାର୍ଲ ଗାର୍ଡେନ ପଟେ ଓହ୍ଲାଇଲେ ଓ ବଟାନିକାର୍ଲ ଗାର୍ଡେନ ପଟେ ବସି ନନ୍ଦନକାନନ ପଟେ ଓହ୍ଲାଇଲେ ପର୍ଯ୍ୟଟକଙ୍କୁ ଉଭୟ ପାର୍ଶ୍ୱର ପ୍ରବେଶ ମୂଲ୍ୟ ଅଧିକ ଦେବାକୁ ପଡ଼ିବ। ଯଦି ବଟାନିକାର୍ଲ ଗାର୍ଡେନ ପଟୁ ରୋପ୍‌ୱେରେ ବସି ନନ୍ଦନକାନନ ପଟେ ଓହ୍ଲାଇଲେ ୩-୧୨ବର୍ଷର ପିଲାଙ୍କ ପାଇଁ ୧୦ଟଙ୍କା, ୧୨ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ୫୦ଟଙ୍କା ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ୧୦୦ ଟଙ୍କା ପ୍ରବେଶ ମୂଲ୍ୟ ଦେବାକୁ ପଡ଼ିବ।

 ସେହିପରି ନନ୍ଦନକାନନ ପଟୁ ରୋପ୍‌ୱେରେ ବସି ବଟାନିକାର୍ଲ ଗାର୍ଡେନ ପଟେ ଓହ୍ଲାଇଲେ ୧୨ବର୍ଷରୁ କମ୍‌ ବୟସ ପିଲାଙ୍କ ପାଇଁ ପ୍ରବେଶ ମୂଲ୍ୟ ଦେବାକୁ ପଡୁ ନ ଥିବାବେଳେ ୧୨ବର୍ଷରୁ ଊର୍ଦ୍ଧ୍ୱ ବୟସ ପିଲାଙ୍କ ପାଇଁ ଅଧିକ ୨୦ ଟଙ୍କା ଦେବାକୁ ପଡ଼ିବ। ଏଥିନିମନ୍ତେ ରୋପ୍‌ୱେ କାଉଣ୍ଟର ପାଖରେ ଥିବା ସ୍ବତନ୍ତ୍ର କାଉଣ୍ଟରରେ ପର୍ଯ୍ୟଟକଙ୍କ ପାଇଁ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟିକେଟ କାଟିବା ସୁବିଧା କରାଯାଇଛି ବୋଲି ଉପନିର୍ଦ୍ଦେଶକ ସନଥ କୁମାର ଏନ୍‌ ସୂଚନା ଦେଇଛନ୍ତି। ଆଗକୁ ନୂଆବର୍ଷ ମଧ୍ୟ ଆସୁଛି। ଏମିତିରେ ଏହା ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବା ନେଇ ଆଶା କରାଯାଉଛି।