ପୁଣି ରିମାଣ୍ଡରେ ଆସିବେ ରସିକିଆ ଠକ ସତ୍ୟଜିତ

ଖୋଲିବ ମଜ୍‌ନୁ ସତ୍ୟଜିତର ଗୁମର । ରଙ୍ଗିଲା ସତ୍ୟଜିତର ଏମିତି କଳାକାରନାମା ନା ଆଉ ଅଛି । ତାହା ପୋଲିସ ରିମାଣ୍ଡରୁ ହିଁ ଜଣାପଡିଛି । ଶନିବାରଠୁ ଠକ ପ୍ରେମିକ ସତ୍ୟଜିତକୁ ୫ ଦିନିଆ ରିମାଣ୍ଡ ନେଉଛି ପୋଲିସ । ଫଳରେ ପୋଲିସ ଶନିବାରଠାରୁ ସତ୍ୟଜିତଙ୍କୁ ଝାରପଡା ଜେଲରୁ ଆଣି ଦ୍ୱିତୀୟ ଥର ମାରାଥନ ଜେରା କରି ଅଧିକ ତଥ୍ୟ ହାସଲ କରିବ ବୋଲି ଆଶା ରଖିଛି। ଇତିମଧ୍ୟରେ ସତ୍ୟଜିତ୍‌ ବ୍ୟବହାର କରୁଥିବା ଆଉ ଏକ କାରକୁ ପୋଲିସ ଜବତ କରିଛି। ଉକ୍ତ ଗାଡ଼ିରେ ସତ୍ୟଜିତ ବ୍ରହ୍ମପୁର ଯାଇ ଜଣେ ମହିଳାଙ୍କଠାରୁ ୧.୬୦ ଲକ୍ଷ ଟଙ୍କା କ୍ୟାଶ୍‌ ଆକାରରେ ଆଣିଥିଲେ।

ମହିଳା ଜଣକ ସୁନା ବନ୍ଧା ପକାଇ ସତ୍ୟଜିତଙ୍କୁ ଟଙ୍କା ଦେଇଥିବା ଜଣାପଡିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ମହିଳା ମଧ୍ୟ ସତ୍ୟଜିତଙ୍କ ନାମରେ ଥାନାରେ ଠକେଇ ଅଭିଯୋଗ କରିଛନ୍ତି। ଫଳରେ ଏହି ରସିକିଆ ଠକଙ୍କ ନାଁରେ କ୍ୟାପିଟାଲ ଥାନାରେ ହୋଇଥିବା ଠକେଇ ମାମଲା ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସତ୍ୟଜିତ ସଂପର୍କରେ ତଦନ୍ତ ପାଇଁ ଦୁଇଟି ଟିମ୍‌ ଗଠନ କରିଛି କମିଶନରେଟ୍‌ ପୋଲିସ । ୧୦୦ରୁ ଅଧିକ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା ସତ୍ୟଜିତ । ପରେ ପର୍ଯ୍ୟାୟକ୍ରମେ କିଛି ମହିଳାଙ୍କ ମଧ୍ୟ ବିବାହ କରିଥିଲା । ବିବାହ ପରେ ସେମାନଙ୍କ ଠାରୁ ବିଭିନ୍ନ ବାହାନା କରି କିମ୍ବା ଭିଡିଓ ଭାଇରାଲ କରିବାର ଧମକ ଦେଇ ଟଙ୍କା ଲୁଟ୍‌ କରୁଥିଲା । ଏବେ ପୋଲିସର ଜେରା ପରେ ସବୁ ସତ ଓଗାଳିବ ସତ୍ୟଜିତ ବୋଲି ଆଶା କରାଯାଉଛି ।