ପୁଣି ହେବ ପ୍ରିଲିମିନାରି ପରୀକ୍ଷା
ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା। ୭୧୧ଟି ହିନ୍ଦୀ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ପ୍ରିଲିମିନାରୀ ପରୀକ୍ଷା କରିବାକୁ ଷ୍ଟାଫ୍ ସିଲେକ୍ସନ୍ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିଯୁକ୍ତି ପ୍ରକ୍ରିୟାରେ ମୂଳ ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି । ସମସ୍ତ ପ୍ରାର୍ଥୀ ପ୍ରଥମେ ପ୍ରିଲିମିନାରି ପରୀକ୍ଷାରେ ଅଂଶଗ୍ରହଣ କରିବେ । ଯେଉଁ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରିବେ ସେମାନେ ଲିଖିତ ପରୀକ୍ଷା ଦେବେ । ପ୍ରକ୍ରିୟା ତିନି ମାସ ଭିତରେ ସଂପୂର୍ଣ୍ଣ କରାଯିବ । ନିଯୁକ୍ତି ପାଇଁ ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ଗତବର୍ଷ ଅକ୍ଟୋବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ମୂଳ ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ହିନ୍ଦୀ ଶିକ୍ଷକ ପଦ ପାଇଁ ପ୍ରିଲିମିନାରି ପରୀକ୍ଷା କରିବାକୁ କମିସନ୍ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ପୂର୍ବରୁ ଅନୁଷ୍ଠିତ ଲିଖିତ ପରୀକ୍ଷା ମୂଲ୍ୟହୀନ ହୋଇଯାଇଛି।ଉପରୋକ୍ତ ପ୍ରକ୍ରିୟା ତିନି ମାସ ଭିତରେ ସଂପୂର୍ଣ୍ଣ କରାଯିବ। ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଫିରୋଜ କୁମାର ମହାପାତ୍ର, ରାକେଶ କୁମାର ବାରିକ ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
