ପୁରାଣ ରେ ଶିବ ବିବାହର ମହତ୍ତ୍ଵ?


ଦକ୍ଷ ଯଜ୍ଞରେ ଯେଉଁ ଦିନ ସତୀ ଶରୀର ତ୍ୟାଗ କରି ଦେଲେ ସେହି ଦିନ ଠାରୁ ଶିବଙ୍କ ମନରେ ବୈରାଗ୍ୟ ଆସି ଗଲା l ସେ ସର୍ବଦା ଶ୍ରୀରାମଙ୍କ ଗୁଣ କୀର୍ତ୍ତନ ତଥା ରାମକଥା ଶୁଣି ଶୁଣି ବ୍ରହ୍ମାଣ୍ଡ ଭ୍ରମଣ କରିବାକୁ ଲାଗିଲେ l
ଜବ ତେ ସତୀ ଯାଇ ତନୁ ତ୍ୟାଗା l
ତଵ ତେ ଶିୱ ମନ ଭୟଉ ବିରାଗା ll
ଏହି ପରି ଭାବେ ବହୁକାଳ ବିତି ଗଲା l ଶ୍ରୀରାମ ଯେତେବେଳେ ଶଙ୍କରଙ୍କର ଏହି କଠୋର ନିୟମ ପାଳନ,ଏବଂ ତାଙ୍କଠାରେ ଅନନ୍ୟ ଭକ୍ତି ଓ ନିଷ୍ଠା ଦେଖିବାକୁ ପାଇଲେ ସେ ପ୍ରକଟହୋଇ ଶଙ୍କରଙ୍କୁ ଦର୍ଶନ ଦେଲେ l

ସେ ମହାଦେବଙ୍କୁ ପ୍ରଶଂସା କରି କହିଲେ,ଏପରି କଠିନ ବ୍ରତ ଆଚରଣ ଆପଣଙ୍କ ବ୍ୟତିରେକ ଆଉ କାହା ପକ୍ଷରେ ସମ୍ଭବ ନୁହେଁ l ପୁଣି କହିଲେ,ହେ ମହାଦେବ ! ଯଦି ଆପଣଙ୍କର ମୋ ପ୍ରତି ପ୍ରକୃତ ଅନୁରାଗ ଥାଏ ତେବେ ମୋର ପ୍ରାର୍ଥନା ପୂର୍ଣ୍ଣ କରନ୍ତୁ l ଆପଣଙ୍କୁ ବିବାହ କରିବା ନିମନ୍ତେ ପାର୍ବତୀ କଠୋର ତପସ୍ୟା ରତା l ଜଳ ଆହାର ତ୍ୟାଗ କରି ସେ ତାଙ୍କର ଶରୀରକୁ ଅତି କୃଶ କରି ସାରିଲେଣି l ବୃକ୍ଷର ପତ୍ର ବା ପର୍ଣ୍ଣଟିଏ ସୁଦ୍ଧା ସେ ଭକ୍ଷଣ କରି ନ ଥିବାରୁ ଲୋକେ ତାଙ୍କୁ ଅପର୍ଣ୍ଣା କହୁଛନ୍ତି,ଆପଣ ଯାଇ ପାର୍ବତୀଙ୍କୁ ତୁରନ୍ତ ବିବାହ କରନ୍ତୁ l

ଶିବ କହିଲେ, ଆପଣଙ୍କ ଆଜ୍ଞା ମୋର ଶିରୋଧାର୍ଯ୍ୟ l ତାହା ପରିପାଳନ କରିବା ହିଁ ମୋର ପରମ କର୍ତ୍ତବ୍ୟ, ପରମ ଧର୍ମ l ମାତା, ପିତା, ଗୁରୁ ଓ ପ୍ରଭୁଙ୍କ ବଚନ ସର୍ବଦା ଶୁଭକର l ଆପଣ ମୋର ପରମ ହିତୈଷୀ,ଆପଣଙ୍କ ଆଜ୍ଞା ପାଳନ ନ କରିବି କିପରି ?
ତୁହ୍ମ ସବ ଭାଁତି ପରମ ହିତକାରୀ l
ଆଜ୍ଞା ଶିର ପର ନାଥ ତୁହ୍ମାରି ll
ପ୍ରଭୁ ଶ୍ରୀରାମ କହିଲେ,ବର୍ତ୍ତମାନ ମୁଁ ଯାହା କହିଲି ସେକଥା ମନେ ରଖନ୍ତୁ l ଏହା କହି ସେ ଅନ୍ତର୍ଧ୍ୟାନ ହୋଇଗଲେ l ସଦାଶିବ ପ୍ରଭୁ ଶ୍ରୀରାମଙ୍କ ରୂପରେ ଧ୍ୟାନ ଲଗାଇ ଥାନ୍ତି,ଏତିକିବେଳେ ସପ୍ତ ଋଷି ଆସି ତାଙ୍କ ନିକଟରେ ପହଞ୍ଚିଲେ l ସେ ସପ୍ତର୍ଷିଙ୍କୁ ଦେଖି କହିଲେ ଆପଣମାନେ ପାର୍ବତୀଙ୍କ ନିକଟକୁ ଯାଇ ତାଙ୍କର ପ୍ରେମ ପରୀକ୍ଷାକରନ୍ତୁ l ହିମାଳୟଙ୍କୁ କହି ତାଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରନ୍ତୁ ଏବଂ ସେମାନଙ୍କର ସଂଶୟ ଦୂର କରନ୍ତୁ l
ଋଷି ମାନେ ପାର୍ବତୀଙ୍କ ପାଖକୁ ଯାଇ ଦେଖନ୍ତି ତ କଠୋର ତପସ୍ୟା ରତା ପାର୍ବତୀ ସତେ ଗୋଟିଏ ପାଷାଣ ମୂର୍ତ୍ତି ହୋଇଯାଇଛନ୍ତି l ସେମାନେ ତାଙ୍କୁ ପଚାରିଲେ, ହେ ଶୈଳ କୁମାରୀ ! ତୁମେ କାହିଁକି ଏପରି କଠିନ ତପସ୍ୟା କରୁଛ l
ଋଷିହ୍ନ ଗୌରୀ ଦେଖି ତହିଁ କୈସୀ l
ମୂରତିମଂତ ତପସ୍ୟା ଜୈସୀ ll
ତୁମେ କାହାକୁ କେଉଁଥିପାଇଁ ଆରାଧନା କରୁଛ ଓ କଣ ଚାହୁଁଛ l ତୁମ ଅନ୍ତରର କଥା ଆମକୁ ଖୋଲି କୁହ l ପାର୍ବତୀ କହିଲେ, ହେ ମୁନିଗଣ, କହିବାକୁ ମୋତେ ଭାରି ସଙ୍କୋଚ ବୋଧ ହେଉଛି,ଆପଣେ ମୋର ମୁର୍ଖତା ଶୁଣିଲେ ନିଶ୍ଚୟ ହସିବେ, ଦେବର୍ଷି ନାରଦଙ୍କ କଥାକୁ ସତ୍ୟ ମଣି ମୁଁ ବିନା ଡେଣାରେ ଉଡ଼ିବାକୁ ଚାହୁଁଛି l ମୁଁ କେବଳ ଶିବଙ୍କୁ ହିଁ ମୋର ପତି ରୂପେ ପାଇବାକୁ ଚାହୁଁଛି l ଋଷିମାନେ ତହୁଁ କହିଲେ, ତୁମେ ନଗାଧିରାଜ ହିମାଳୟଙ୍କ କନ୍ୟା ତ ତେଣୁ ତୁମର ଏପରି ବୁଦ୍ଧି l ତେବେ କୁହ ତ !! ନାରଦଙ୍କ ବୁଦ୍ଧିରେ କିଏ ଘରସଂସାର କଲାଣି କି? ଯିଏ ନାରଦଙ୍କ ଉପଦେଶ ଶୁଣିଛି ସିଏ ଘରଦ୍ୱାର ଛାଡ଼ି ଭିକାରି ହୋଇ ଯାଇଛି l ଦେଖ ଚିତ୍ରକେତୁ, ଦକ୍ଷପୁତ୍ରଙ୍କ ଓ ହିରଣ୍ୟକଶିପୁର ଦଶା l ଦେବର୍ଷି ନାରଦ ସିନା ଉପରେ ସଜ୍ଜନପରି ଦେଖାଯାଆନ୍ତି, ହେଲେ ସେ ବଡ଼ କପଟି l ସେ ସମସ୍ତଙ୍କୁ ଆପଣା ପରି କରିଦେବାକୁ ଚାହାଁନ୍ତି l
ନାରଦ ସିଖ କେ ସୁନହିଁ ନର ନାରୀ l
ଆୱସି ହୋହିଁ ତଜି ଭୱନୁ ଭିଖାରୀ ll
ଆଉ ସେହି ନାରଦଙ୍କ କଥାକୁ ମାନି ତୁମେ ଏଭଳି ଗୋଟିଏ ନିର୍ଲଜ ପତି ପାଇବାକୁ ଚାହୁଁଛ ଯାହାଙ୍କ ବେଶ ଅତି କୁତ୍ସିତ,ସର୍ବଦା ଖପୁରିମାଳ ପିନ୍ଧି ରହି ଥାନ୍ତି, ତାଙ୍କର କୂଳ ନାହିଁ କି ଘର ନାହିଁ, ଲଙ୍ଗଳା ହୋଇ ବୁଲୁଥାନ୍ତି, ସାପ ତାଙ୍କର ଭୂଷଣ l ଏଭଳି ସ୍ବାମୀକୁ ନେଇ ତୁମେ ଭଲା କେଉଁ ସୁଖ ପାଇବ କୁହ ସତେ,ତୁମେ ସେହି ନାରଦଙ୍କ ପ୍ରବଞ୍ଚନାରେ ପଡ଼ି ବଡ଼ ଭୁଲଟିଏ କରିଛ l ଆଗରୁ ସେହି ଶିବ ସତୀଙ୍କୁ ବିବାହ କରିଥିଲେ, ତାଙ୍କୁ ସେ କିଛି ଦିନ ପରେ ଛାଡ଼ି ଦେଲେ l ସେ ତାଙ୍କରି ପାଇଁ ମଲେ l ଏବେ ଶିବ ନିଶ୍ଚିନ୍ତ l ସେ ଭିକ ମାଗି ଖାଉଛନ୍ତି l ସେ ସ୍ଵଭାବତଃ ଏକା ରହିବାକୁ ଭଲ ପାଆନ୍ତି l ତାଙ୍କ ସହିତ କେଉଁ ସ୍ତ୍ରୀ ରହି ପାରିବ l
ଅବ ସୁଖ ସୋୱତ ସୋଚୂ ନାହିଁ
ଭିଖ ମାଗି ଭୱ ଖାଇ l
ସହଜ ଏକାକୀହ୍ନ କେ ଭୱନ
କବହୁଁ କି ନାରୀ ଖଟାହିଁ ll
ଆମେ ତୁମ ପାଇଁ ଗୋଟିଏ ସୁନ୍ଦର ସୁଶୀଳ ବର ଠିକ କରିଛୁ ଯାହାର ଲୀଳା ଓ ଯଶ ଦେଵ ଗଣ ମଧ୍ୟ ଗାନ କରନ୍ତି l ସେ ସକଳ ଦୋଷଶୂନ୍ୟ,ସର୍ବ ଗୁଣ ସମ୍ପନ୍ନ ଲକ୍ଷ୍ମୀପତି,ବୈକୁଣ୍ଠ ନିବାସୀ l ତାଙ୍କ ସହିତ ଆମେ ତୁମର ମିଳନ କରାଇ ଦେବୁ l ଏହା ଶୁଣି ଭବାନୀ ହସି ହସି କହିଲେ, ମୋର ଏ ଶରୀର ହିମାଳୟରୁ ଜାତ l ତେଣୁ ମୋର ପ୍ରତିଜ୍ଞା ହିମାଳୟ ସମ ଅଟଳ l ଦେବର୍ଷି ନାରଦଙ୍କ ବାକ୍ୟ ପ୍ରକାରେ ମୁଁ ତାଙ୍କୁହିଁ ବରଣ କରିବି,କୋଟି କୋଟି ଜନ୍ମ ଲାଗିଯାଉ ପଛେ ଶିବଙ୍କୁ ହିଁ ବିବାହ କରିବି, ନହେଲେ କୁଆଁରି ରହିବି l ନିଜେ ପ୍ରଭୁ ଶିବ ଆସି କହିଲେ ମଧ୍ୟ ମୁଁ ନାରଦଙ୍କ ସେ ଉପଦେଶ ଛାଡ଼ି ପାରିବି ନାହିଁ l
ଜନ୍ମ କୋଟି ଲଗି ରଗର ହମାରୀ l
ବରଉଁ ଶମ୍ଭୁ ନ ତ ରହଉଁ କୁଆଁରୀ ll
ଶଙ୍କରଙ୍କ ପ୍ରତି ପାର୍ବତୀଙ୍କର ଏପରି ଅତୁଟ ପ୍ରେମ ଦେଖି ଋଷିଗଣ କହିଲେ,ହେ ଜଗଦମ୍ବେ ଭବାନୀ, ଆପଣଙ୍କର ଜୟ ହେଉ l
ଦେଖି ପ୍ରେମ ବୋଲେ ମୁନି ଜ୍ଞାନୀ l
ଜୟ ଜୟ ଜଗଦମ୍ବିକେ ଭବାନୀ ll
ଏହିପରି କହି ମୁନିଗଣ ପ୍ରସ୍ଥାନକଲେ l ସେମାନେ ହିମବନ୍ତଙ୍କୁ ଯାଇ ବୁଝାଇକହିବାରୁ ପାର୍ବତିଙ୍କୁ ସେ ଘରକୁ ଫେରାଇ ନେଲେ l ସେଠାରୁ ଋଷିମାନେ ଯାଇ ଶିବଙ୍କୁ ସକଳ ବୃତ୍ତାନ୍ତ ଶୁଣାଇ ପାର୍ବତୀଙ୍କ ତାଙ୍କ ଠାରେ ଅନୁରାଗ ଏବଂ ତାଙ୍କର ଶଙ୍କରଙ୍କୁ ପାଇବାର ବ୍ୟାକୁଳତା ବିଷୟରେ କହିଲେ l ଋଷି ଗଣ ଶିବଙ୍କୁ ସମାଚାର ଶୁଣାଇ ବ୍ରହ୍ମଲୋକ ଚାଲି ଗଲେ ଏବଂ ଶିବ ପ୍ରସନ୍ନ ଚିତ୍ତରେ ଶ୍ରୀରଘୁନାଥଙ୍କୁ ଧ୍ୟାନ କରି ବସିଲେ l
ବର୍ତ୍ତମାନ ଦେବତାଗଣ ନିଶ୍ଚିନ୍ତ ହୋଇଗଲେ ଯେ ଏଥର ଶିବପାର୍ବତୀଙ୍କ ବିବାହ ସୁନିଶ୍ଚିନ୍ତ ଓ ତାଙ୍କ ମିଳନରୁ ତାରକାସୁର ନିଧନକାରୀ ସନ୍ତାନ ସମ୍ଭବ ମଧ୍ୟ ସୁନିଶ୍ଚିନ୍ତ l ରାମ ଚରିତ ମାନସରେ ଏହା ହିଁ ଶିବ ବିବାହର ପୃଷ୍ଠ ଭୂମି l
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971