ପୁରୀରେ ରାଷ୍ଟ୍ରପତି: କାଲି ଶ୍ବେତଗଙ୍ଗାରେ କରିବେ ପିଣ୍ଡଦାନ

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍‌ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ରାତ୍ରିଯାପନ କରିବେ। ବୁଧବାର ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ।ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ପୁରୀ ପୁଲିସ ଏବଂ ପ୍ରଶାସନ ପକ୍ଷରୁ କରାଯାଇଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା। ପ୍ରୋଟୋକଲ ଅନୁଯାୟୀ ରାଷ୍ଟ୍ରପତିଙ୍କ ସହିତ କେବଳ ପାସ୍‌ଧାରୀ, ସରକାରୀ ଅଧିକାରୀ ଏବଂ ସେବାୟତ ଉପସ୍ଥିତ ରହିବେ । ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ।ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରାଷ୍ଟ୍ରପତି ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିବେ । ସକାଳ ୮ଟା ୧୦ ମିନିଟରେ ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଲୋକ ଭବନ ଅଭିମୁଖେ ବାହାରିବେ । ଏହାପରେ ରାଷ୍ଟ୍ରପତି ସକାଳ ୯ ଟା ୧୫ ମିନିଟରେ ତାଳବଣିଆ ହେଲିପ୍ୟାଡ ଅଭିମୁଖେ ବାହାରି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ପ୍ରତ୍ୟାବର୍ତ୍ତନ କରିବେ । ସୁରକ୍ଷା ବ୍ୟବସ୍ଥା ପାଇଁ ରାଷ୍ଟ୍ରପତିଙ୍କ କାର୍କେଡ ରୁଟ୍‌କୁ ସମ୍ପୂର୍ଣ୍ଣ ନୋ-ଭେହିକିଲ ଜୋନ୍ ଭାବେ ଘୋଷଣା କରାଯିବ । ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ବରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବେ । ବଡଦାଣ୍ଡର ଉଭୟ ପାର୍ଶ୍ଵରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକମାନେ ଏହି ବ୍ୟାରିକେଡ଼ ବାହାରୁ ରାଷ୍ଟ୍ରପତିଙ୍କ ଝଲକ ପାଇପାରିବେ ।