ପୁରୀରେ ହେବ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍

ପୁରୀରେ ପ୍ରତିଷ୍ଠା ହେବ ଭୂତଳ ଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ । ଏନେଇ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପଦକ୍ଷେପ ନେଇଛି । ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ପ୍ରତିବର୍ଷ କୋଟିଏରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ପୁରୀରେ ଏକାଧିକ ପର୍ଯ୍ୟଟନ ଆକର୍ଷଣସ୍ଥଳ ନିର୍ମାଣ ନିମନ୍ତେ ଯୋଜନା କରୁଛି । କିଛି ସରକାର ନିଜେ କରିବେ ଓ କିଛି ବେସରକାରୀ ଅନୁଷ୍ଠାନ ଜରିଆରେ କରିବାକୁ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି । ଯାହା ଭିତରେ ପର୍ଯ୍ୟଟକଙ୍କୁ ଆଉ ଏକ ଆମୋଦିତ ସ୍ଥଳ ଦେବା ଲକ୍ଷ୍ୟରେ ପୁରୀ ବେଳାଭୂମି ନିକଟରେ ଏକ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ସରକାର ପ୍ରକଳ୍ପ ନିମନ୍ତେ କମ୍‌ ଦରରେ ଜମି ଯୋଗାଇଦେବେ । ଯେତେବେଳେ କି ଘରୋଇ ସଂସ୍ଥା ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ପ୍ରଭୃତି ସମସ୍ତ ଖର୍ଚ୍ଚ ଉଠାଇବ । ପ୍ରକଳ୍ପ କରିବାରେ ଆବଶ୍ୟକ ପାଣ୍ଠି ଯୋଗାଡ଼ରେ ମଧ୍ୟ ଆଗ୍ରହୀ ସଂସ୍ଥାକୁ ସରକାର ସାହାଯ୍ୟ କରିବେ । ପରିବେଶ ନିୟମକୁ ପାଳନ ସହ ପ୍ରକଳ୍ପ ପ୍ରତିଷ୍ଠା ଓ ପରିଦର୍ଶନ ବ୍ୟବସ୍ଥା କରିବାକୁ ହେବ ।ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ନିମନ୍ତେ ବିଭାଗ ପକ୍ଷରୁ ଆଗ୍ରହୀ ଅନୁଷ୍ଠାନ ଏନେଇ ପ୍ରସ୍ତାବ ଦେବାକୁ ଜାରି ଅବଧିକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।ପ୍ରସ୍ତାବଗୁଡ଼ିକୁ ନଭେମ୍ବର ୪ ତାରିଖରେ ଅନୁଧ୍ୟାନ କରାଯିବ ଓ ୧୫ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ପ୍ରସ୍ତାବ ଗ୍ରହଣ ଅବଧି ଗତ ମାସ ୩୦ ତାରିଖ ଓ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ୩୦ ତାରିଖ ହେବାର ଥିଲା ।