ପୁରୀ ସମୁଦ୍ର ନିଷିଦ୍ଧାଞ୍ଚଳରେ ବୁଲୁଛି ମାଳ ମାଳ ମାଛଧରା ଟ୍ରଲର । ବିପଦରେ ବିରଳ ଅଲିଭ ରିଡ଼ଲେ କଇଁଛ 

ଚଳିତ ମାସରୁ ଆରମ୍ଭ ହୋଇଛି ଅଲିଭ ରିଡ଼ଲେଙ୍କ ପ୍ରଜନନ ଋତୁ । ତେବେ ସୁରକ୍ଷିତ ଅଣ୍ଡାଦାନ ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ବିଶେଷକରି ଅଲିଭ ରିଡ଼ଲେ ଫେବୃଆରୀ ମାସରେ ଅଣ୍ଡାଦାନ କରନ୍ତି । କିନ୍ତୁ ପୁରୀ ବନ୍ୟପ୍ରାଣୀ ବିଭାଗରେ ଥିବା ଦୁଇଟି ସ୍ଥାନରେ ଅଲିଭ ରିଡ଼ଲେ କଇଁଛ ମାନେ ଅପ୍ରତ୍ୟସିତ ଭାବେ କୁଳକୁ ଆସି ଅଣ୍ଡାଦାନ କରିଛନ୍ତି । ତେବେ ବନ ବିଭାଗର ଅବହେଳା ଯୋଗୁଁ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ପାଇଁ ସାଜିଛି କାଳ । ବନ ବିଭାଗ ସମୁଦ୍ରରେ ପେଟ୍ରୋଲିଂ କରୁନଥିବାରୁ ନିଷିଦ୍ଧାଞ୍ଚଳରେ ବୁଲୁଛି ମାଳ ମାଳ ମାଛ ଧରା ଟ୍ରଲର । ଫଳରେ ଚଳିତ ବର୍ଷ ଟ୍ରଲର ମାଡରେ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ଆଶଙ୍କା ଦେଖାଦେଇଛି । ପୁରୀର ଦେବୀ ନଦୀ ମୁହାଣରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ହେଉଛି ନିଶିଦ୍ଧାଞ୍ଚଳ । ତେବେ ଏହାକୁ ଉଲଂଘନ କରି ମାଳ ମାଳ ଟ୍ରଲର ପ୍ରବେଶ କରୁଛି । ଯାହାକୁ ନେଇ ପୁରୀ ବନ ବିଭାଗରକୁ କଡା ସମାଲୋଚନା କରିଛନ୍ତି ପରିବେଶବିତ୍ ଓ ପୁରୀ ଜିଲ୍ଲା ପାରମ୍ପରିକ ମତ୍ସ୍ୟଜୀବୀ ମହାସଂଘ ।ପ୍ରତିବର୍ଷ କିଭଳି ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଏ। ମାଛ ଧରା କଟକଣାକୁ ପ୍ରଭାବିତ ହେଉଥିବା ମତ୍ସ୍ୟଜୀବୀଙ୍କୁ ଏହି କଟକଣା ସମୟରେ ୧୫୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଏ । ଏତେ ପ୍ରସ୍ତୁତି ଓ ଅର୍ଥ ବ୍ୟୟ ସରକାର କରୁଥିବା ବେଳେ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ଫେଲ୍ ମାରୁଛି । ମୁଖ୍ୟତଃ ସମୁଦ୍ରରେ ବନ ବିଭାଗ ପକ୍ଷରୁ କଡାକଡି ପାଟ୍ରୋଲିଂ ହେଉନଥିବା ହେତୁ ହେଲେ ନିଶିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର ପ୍ରତ୍ୟେକ ଦିନ ମାଛ ଧରୁଥିବା ଅଭିଯୋଗ କରିଛନ୍ତି ଲୋକେ । ସେପଟେ ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟଧିକାରୀ ରମେଶ ଚନ୍ଦ୍ର ରାଉଳ କହିଛନ୍ତି, “ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଆମେ ମତ୍ସ୍ୟଜୀବୀଙ୍କୁ ସଚେତନ କରୁଛୁ । ଆମ ବିଭାଗ ପକ୍ଷରୁ ସମୁଦ୍ରରେ ପେଟ୍ରୋଲିଂ ମଧ୍ୟ କରୁଛୁ । ନିଷିଦ୍ଧାଞ୍ଚଳକୁ ଟ୍ରଲର ନ ନେବାକୁ ମତ୍ସ୍ୟଜୀବୀ ସଂଘକୁ ଆମେ ସଚେତନ କରୁଛୁ । ଅମାନିଆ ଟ୍ରଲର ଚାଳକଙ୍କ ବିରୋଧରେ ଓମ୍ଫ୍ରା ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏ ପର୍ଯ୍ୟନ୍ତ କେହି ଧରା ପଡ଼ିନାହାନ୍ତି । ଆମେ କୋଷ୍ଟଗାର୍ଡ, ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ମେରାଇନ ଥାନା ପୋଲିସ ମିଳିତ ଭାବେ କଇଁଛଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛୁ ।”