ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ: ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ

ପୋଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ନେଇ ତନାଘନା ଜୋର ଧରିଛି । ଘଟଣାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସହ ୩ ଜଣ ଦଲାଲ ମୋଟ ୧୧୭ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏବେ ଗୋଟିଏ ପରେ ଗୋଟିଏ ଖିଅ ମିଳିବାରେ ଲାଗିଛି । ଘଟଣାରେ ୭ ଜଣଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ।ଏଥିପାଇଁ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ ଜିଲାର ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଏସଆଇ ପରୀକ୍ଷା କେଳେଙ୍କାରୀର ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା । ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ ଏସପି ଅନୀଲ ବେଉରିଆଙ୍କୁ ଦାୟିତ୍ୱ ଦିଆଯାଇଛି ।ଦୁର୍ନୀତି ପଛରେ ଦୁଇ କାର୍ପଟଦାରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜଣେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମର ଶଙ୍କର ପୃଷ୍ଟି ଓ ଅନ୍ୟ ଜଣେ ମୁନା ମହାନ୍ତି । ଏହି ଦୁଇ ନାଁ କୁ ନେଇ ଏବେ ସାରା ଓଡ଼ିଶାରେ ଚହଳ ପଡ଼ିଛି । ଶଙ୍କର ପୃଷ୍ଟି ହେଉଛି ପଞ୍ଚସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ ।

ପଞ୍ଚସଫ୍ଟ ହେଉଛି ସେହି ସଂସ୍ଥା ଯିଏ ଏହି ପରୀକ୍ଷା ପରିଚାଳନା କରିଥାନ୍ତା । ତେବେ ପୂର୍ବରୁ ମଧ୍ୟ ଶଙ୍କର ପୃଷ୍ଟିଙ୍କ ନାମରେ ଜାଲ ସା୍ଟିଫିକେଟ ଓ ଚାକିରି ଜଳିଆତୀର ମାମଲା ରହିଛି ।