ପୂର୍ବ ସରକାରର ପୁଳା ପୁଳା ଦୁର୍ନୀତିକୁ ଧରିଛନ୍ତି ସିଏଜି

ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ପୂର୍ବ ସରକାରର ପୁଳା ପୁଳା ଦୁର୍ନୀତିକୁ ଧରିଛନ୍ତି ସିଏଜି। ବିଭିନ୍ନ ଯୋଜନାରେ ଦୁର୍ନୀତିର ଗନ୍ଧ ବାରିଛି । ପୂର୍ବ ସରକାର ସମୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ଉପରୁ ହଟିଛି ପରଦା । ଯେଉଁଥିରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଠାରୁ ଆରମ୍ଭ କରି ଆଦିବାସୀଙ୍କ ଟଙ୍କା ହଡ଼ପ ପର୍ଯ୍ୟନ୍ତ ତଥ୍ୟ ଉଲ୍ଲେଖ ରହିଛି ।ରାଜ୍ୟର ୨୨ଟି ଆଇଟିଡିଏରୁ ୧୧ଟିର ସମୀକ୍ଷା କରାଯାଇଥିଲା । ଆଇଟିଡିଏର ୭୧ଟି ବ୍ୟାଙ୍କ ଆକାଉଣ୍ଟରୁ ୧୪୮ କୋଟି ୭୫ଲକ୍ଷ ଟଙ୍କା ବ୍ୟକ୍ତିଗତ କାରବାର ପାଇଁ ବିନିଯୋଗ ହୋଇଥିବା ଜଣାପଡ଼ିଛି। ଏଟିଏମରୁ ନଗଦ ଟଙ୍କା ଉଠାଣ, ଚେକ ଜରିଆରେ ଦେୟ, ପିଓଏସ, ବୀମା ପ୍ରିମିୟମ ଦେୟ ଏବଂ ୟୁପିଆଇ ମାଧ୍ୟମରେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଜେଇ ଓ ଏଇ ମାନେ ଟଙ୍କା ଉଠାଇଥିଲେ ।

ଏହା ସେମାନଙ୍କ ଦ୍ବାରା ସରକାରୀ ଅର୍ଥର ସନ୍ଦେହଜନକ ଅପବ୍ୟବହାରକୁ ଦର୍ଶାଇଥିଲା । ଏଟିଏମ ଓ ଚେକ ମାଧ୍ୟମରେ ନିଜ ପାଇଁ ଟଙ୍କା ଉଠାଇଥିବା ବେଳେ ବାଣିଜ୍ୟିକ ବ୍ୟବସାୟ ସ୍ଥାନରେ ପିଓଏସ, ମୋବାଇଲ, ପାଣି, ବିଜୁଳି ଓ ଇନ୍ଧନ ଆଦି ପାଇଁ ଅର୍ଥ ପ୍ରଦାୟ କରାଯାଇଥିଲା । ଏପରିକି ଏହା ମାଧ୍ୟମରେ ମ୍ଯୁଚୁଆର ଫଣ୍ଡ, ଷ୍ଟକ ମାର୍କେଟରେ ନିବେଶ ମଧ୍ୟ କରାଯାଇଛି ।ଏହା ବିଭାଗର କୌଣସି କାର୍ଯ୍ୟ ପାଇଁ ଜଡ଼ିତ ନଥିଲା । ଏହା ସ୍ପଷ୍ଟ ଭାବେ ପାଣ୍ଠିର ଆତ୍ମସାତକୁ ଦର୍ଶାଇଛି। ଏନେଇ ଆଇଟିଡିଏର କାର୍ଯ୍ୟକାରିତା ପାଇଁ ଜେଇ ଓ ଏଇଙ୍କ ଦ୍ବାରା ବ୍ୟାଙ୍କ ଆକାଉଣ୍ଟ ପରିଚାଳନାର ନିୟମିତ ଅଭ୍ୟାସକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।