ପେଟ୍ରୋଲ୍ ପମ୍ପ୍ରେ ଗ୍ରାହକଙ୍କୁ ଠକେଇ ନେଇ ୧୦୯ କେସ୍
ରାସନ କାର୍ଡ ଧାରୀଙ୍କୁ ଓଜନ ମାପରେ ଠକୁଛନ୍ତି ଡିଲର । ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ । ୭୫ ରାସନ ଡିଲରଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ସରକାର । ଲାଇସେନ୍ସ ବାତିଲ ସହ ଜଣଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଦିଆଯାଇଛି । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି । ଏପଟେ ପେଟ୍ରୋଲ ପମ୍ପରୁ ଠକେଇ ନେଇ ୩ ବର୍ଷରେ ସାମ୍ନାକୁ ଆସିଛି ୧୦୯ କେସ । ପେଟ୍ରୋଲ ପମ୍ପରୁ ୧୩ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଜରିମାନା ଆଦାୟ କରାଯାଇଛି । ଖାଲି କ’ଣ ପେଟ୍ରୋଲ ପମ୍ପରେ ଠକେଇ ହେଉଛି ବଡ଼ ବଡ଼ ସୁନା ଦୋକାନରେ ବି ଓଜନ ମାପରେ ଗ୍ରାହକଙ୍କୁ ବେଧଡ଼କ ଠକେଇ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଯେତେବେଳେ ସୁନା ଦର ହୁ ହୁ ହୋଇ ବଢ଼ି ଚାଲିଛି । ସେତେବେଳେ ମାପ ଓଜନରେ ଠକେଇ କରି ଗ୍ରାହକଙ୍କୁ ଲୁଟୁଛନ୍ତି ସୁନା ଦୋକାନୀ । ମନ୍ତ୍ରୀ କହିଛନ୍ତି ଗଲା ୩ ବର୍ଷରେ ରାଜ୍ୟର ୮ହଜାର ୬୫ ସୁନା ଦୋକାନ ଉପରେ ଚଢ଼ାଉ ହୋଇଥିବା ବେଳେ ସେଥି ମଧ୍ୟରୁ ୧୬ଟି ଠକେଇ କେସ ସାମ୍ନାକୁ ଆସିଛି । ଏଠି ବି ଠକେଇ କରୁଥିବା ସୁନା ଦୋକାନୀଙ୍କ ଠାରୁ ଗଲା ୩ବର୍ଷରେ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ କରିଛନ୍ତି ସରକାର । ତା’ ପରେ ବି ସୁନା ଦୋକାନୀଙ୍କ ଠକେଇ ବନ୍ଦ ହୋଇଛି କି ନାହିଁ ତା’ର ଉତ୍ତର କାହା ପାଖରେ ନାହିଁ ।
