ପ୍ରଖ୍ୟାତ ଓଡ଼ିଆ ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କର ଅଭୁଲା ଦିନ କଥା

ପ୍ରଖ୍ୟାତ ଓଡ଼ିଆ ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କର ପରୋଲକ ହୋଇଛି। ଶାନ୍ତିଲତା ଗତ କିଛିମାସ ହେଲା କର୍ଗଟ ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ କିଛିଦିନ ଭେଣ୍ଟିଲେଟରରେ ମଧ୍ୟ ରହିଥିଲେ। ସୋମବାର(୨୦୨୪ଏପ୍ରିଲ ୧) ତାଙ୍କ ବିୟୋଗରେ ଓଡ଼ିଆ ସଂଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି। ଶାନ୍ତିଲତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ନିଜ ଜୀବନକାଳ ଭିତରେ ଶାନ୍ତିଲତା ବାରିକ ଅନେକ ଲୋକପ୍ରିୟ ଭଜନ ଗାଇଥିଲେ । ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କର ଅନେକ ପ୍ରଂଶସକ ରହିଛନ୍ତି ।ଶାନ୍ତିଲତା ବାରିକ ଓଡ଼ିଶାବାସୀଙ୍କୁ ଏକାଧିକ ଲୋକପ୍ରିୟ ଭଜନ ଭେଟି ଦେଇଛନ୍ତି। ସେ ପ୍ରାୟ ୨ ହଜାରରୁ ଅଧିକ ଭଜନ ଗାଇଛନ୍ତି। ଥକାମନ ଚାଲିଯିବା, ମୁଁ ଯେ ଦେଉଳ ବେଢା, ଜଗନ୍ନାଥ ତୁମେ ଛଳିଆ,ହେ ଚକାନୟନ ଆଦି ଲୋକପ୍ରିୟ ଭଜନ ଗାଇଛନ୍ତି। ପୁରି ନିମାପଡ଼ା ଝିଅ ଶାନ୍ତିଲତାଙ୍କର ପିଲାଦନରୁ ହିଁ ଗୀତ ଗାଉଥିଲେ। ବାପାଙ୍କ ଠାରୁ ପ୍ରେରଣା ପାଇ ସେ ଗୀତ ଗାଇବା ଆରମ୍ଭ କରିଥିଲେ। ସେ ୧୯୫୮ ମସିହାରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ବିଷ୍ଣୁପୁରରେ ଜନ୍ମଗ୍ରହଣ କରିଥିଲେ।

ଶାନ୍ତିଲତାଙ୍କର ବାହାଘର ବ୍ରହ୍ମଗିରି ଅଞ୍ଚଳର କୁଣବେଣ୍ଟି ନିବାସୀ ବସନ୍ତ ଛୋଟରାୟଙ୍କ ସହିତ ହୋଇଥିଲା। ତାଙ୍କର ଦୁଇ ପୁଅ ହେଲେ ଅବିନାଶ ଓ ସତ୍ୟଜିତ।ବିଭିନ୍ନ ସମୟରେ ସଙ୍ଗୀତ ସୁଧାକର ଗୁରୁ ବାଳକୃଷ୍ଣ ଦାସ, ଗୁରୁ ମାର୍କଣ୍ଡେୟ ମହାପାତ୍ର, ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ପ୍ରମୁଖଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭକରିବା ସହିତ ସେ ଭୁବନେଶ୍ବସ୍ଥ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ପଢ଼ିଥିଲେ। ଶାନ୍ତିଲତାଙ୍କୁ ପରିଚୟ ଦେଇଥିଲା ଭଜନ ‘ହେ ଚକାଚୟନ…’। ୧୯୭୮ ମସିହାରେ ଏହାର ରେକର୍ଡିଂ ହୋଇଥିଲା। ନଗେନ୍ଦ୍ର ମହାପାତ୍ରଙ୍କ ରଚନା ଓ ବାଳ‌କୃଷ୍ଣ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତକୁ ଶାନ୍ତିଲତା ପ୍ରଥମେ ରେଡିଓରେ ଗାଇଥିଲେ। କୋଲକତାର ଏକ ଷ୍ଟୁଡିଓରେ ଗୀତଟି ରେକର୍ଡ ହୋଇଥିଲା। ଭଜନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଶାନ୍ତିଲତାଙ୍କର ଉଦ୍ୟମ ପ୍ରଶଂସନୀୟ।