ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ବ ଘରଚଟିଆ ଦିବସ ରୂପେ ପାଳନ କରାଯାଏ ।

ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ବ ଘରଚଟିଆ ଦିବସ ରୂପେ ପାଳନ କରାଯାଏ । ପ୍ରକୃତି ଓ ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ। ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ନିଜ ଘର ଖୋଜୁଛି।ସହରର ଉଚ୍ଚ ଅଟ୍ଟାଳିକାଗୁଡ଼ିକ ମଧ୍ୟରେ ଆଉ ଶୁଭୁନି ଘରଚଟିଆମାନଙ୍କର କିଚିରିମିଚିରି ଶବ୍ଦ। ଦିନଥିଲା ଏହି ଛୋଟିଆ ପକ୍ଷୀଟି ଗାଁ, ସହରର ପ୍ରତ୍ୟେକ ଗଳିକନ୍ଦିରେ ଦେଖାଯାଉଥିଲେ। ସରଳ, ନିରୀହ ଏହି ପକ୍ଷୀଟି ସବୁବେଳେ ମଣିଷ ପାଖେପାଖେ ରହି ତା’ର ମନ ଜିଣିବାକୁ ସମର୍ଥ ହୋଇଛି।

ଅନେକ ଅଞ୍ଚଳରେ ଘରଚଟିଆକୁ ଶୁଭ ବୋଲି ବିବେଚନା କରାଯାଏ। ସେଥିପାଇଁ କେତେକ ଆଦିବାସୀ ସମ୍ପ୍ରଦାୟରେ ଘରକାନ୍ଥରେ ଘରଚଟିଆ ଚିତ୍ର ଅଙ୍କା ହୋଇଥାଏ। ପୂର୍ବରୁ ଘରଚଟିଆମାନେ ଚାଳ ଘରଗୁଡ଼ିକରେ ବସା ତିଆରି କରି ରହୁଥିଲେ, ଅଣ୍ଡାରୁ ଛୁଆ ଫୁଟାଉଥିଲେ। ବସା ତିଆରି ପାଇଁ ବାଛି ନେଉଥିଲେ ଗଳିକନ୍ଦି ଜାଗା। ପ୍ରତି ଗାଁରେ ଏମାନେ ପାଣିପାଗ ସମ୍ପର୍କରେ ବାର୍ତ୍ତା ଦେଇଥାନ୍ତି। ବିଶ୍ବାସ ରହିଛି ଘର ଆଗରେ ଘରଚଟିଆ ବସା ଥିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ପ୍ରକୃତି ଓ ସାମଜ ପାଇଁ ତାର ଅବଦାନ ଅବର୍ଣ୍ଣନୀୟ।