ପ୍ରତି ଜିଲ୍ଲାରେ ହେବ ପୁସ୍ତକ ମହୋତ୍ସବ
ପ୍ରତି ଜିଲ୍ଲାରେ ହେବ ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ । ଏଥିପାଇଁ ପ୍ରତି ଜିଲ୍ଲାକୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ।ପୂର୍ବ ନିଷ୍ପତ୍ତି କ୍ରମେ ଚଳିତ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି । ବଜେଟ୍ରେ ପୁସ୍ତକ ମହୋତ୍ସବ ପାଇଁ ବ୍ୟୟବରାଦ ବୃଦ୍ଧି ପାଇଥିବା ବେଳେ ପ୍ରତି ଜିଲ୍ଲାରେ ପୁସ୍ତକ ମହୋତ୍ସବ ପାଇଁ ପଥ ପରିଷ୍କାର ହୋଇଛି । ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ ଲାଗି ଏସ୍ଓପି ପ୍ରସ୍ତୁତ ହେବ । ଏହି ଅନୁସାରେ ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ହେବ । ପୁସ୍ତକ ମହୋତ୍ସବ ଆୟୋଜନ ପାଇଁ ଯଥେଷ୍ଟ ପୂର୍ବରୁ ଦିନ ଧାର୍ଯ୍ୟ ହେବ । ଅଧିକରୁ ଅଧିକ ଅଂଶଗ୍ରହଣ ଲାଗି ରାଜ୍ୟ ଭିତରୁ ଏବଂ ରାଜ୍ୟ ବାହାରୁ ପ୍ରକାଶକ ମାନଙ୍କୁ ନିମନ୍ତ୍ରଣ କରାଯିବ । ପ୍ରତି ପୁସ୍ତକ ମହୋତ୍ସବ ମଞ୍ଚକୁ ସେହି ଜିଲ୍ଲାର ଜଣେ ବରପୁତ୍ରଙ୍କ ନାଁରେ ନାମିତ କରାଯିବ । ଏପରିକି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବରପୁତ୍ରଙ୍କ ପାଭିଲିୟନ୍ ନିର୍ମାଣ କରାଯାଇ ତାଙ୍କର ମୂଲ୍ୟବୋଧ ଓ ସିଦ୍ଧାନ୍ତର ପ୍ରଚାର, ପ୍ରସାର କରାଯିବ । ଓଡ଼ିଆ ଭାଷା, ଓ ସାହିତ୍ୟର ପ୍ରଚାର, ପ୍ରସାର ପାଇଁ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସାହିତ୍ୟ ଆଲୋଚନାଚକ୍ରରେ ସାମିଲ କରାଯିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧୀୟ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ମହୋତ୍ସବରେ ଷ୍ଟଲ୍ ଗୁଡ଼ିକ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରାଯିବା ସହ ପ୍ରକାଶମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ପାଇଁ ଭଲ ପ୍ରକାଶନୀ ସଂସ୍ଥା ଓ ପ୍ରକାଶକମାନଙ୍କୁ ସମ୍ମାନିତ କରାଯିବ । ଏହି କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନା ପାଇଁ ବିଭାଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ (ଡିସିଓ) ମାନେ ଜିଲ୍ଲା ସ୍ତରରେ ସମସ୍ତ ସହଯୋଗ କରିବେ ବୋଲି ନିଷ୍ପତ୍ତି ହୋଇଛି ।
