ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ।।


ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ‌ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ପବିତ୍ର ସରଯୁ ନଦୀ କୂଳରେ ଅବସ୍ଥିତ ଅଯୋଧ୍ୟାର ସୂର୍ଯ୍ୟବଂଶୀ ରାଜା ଦଶରଥ ଓ ମହାରାଣୀ କୈାଶଲ୍ଯା ଙ୍କ ପୁତ୍ର ଭାବେ ପୁନର୍ବସୁ ନକ୍ଷତ୍ରରେ ମଧ୍ୟାହ୍ନର ମାହେନ୍ଦ୍ର ବେଳାରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ଜୀବନ ହେଉଛି ଭାରତୀୟ ସଂସ୍କୃତିର ମୌଳିକ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ।ସେ ଥିଲେ ସତ୍ୟବାଦୀ, ଧୈର୍ଯ୍ୟଶୀଳ, ବିଦ୍ୱାନ, ଜିତେନ୍ଦ୍ରିୟ,ଭ୍ରାତୃପ୍ରେମୀ, ମିତ୍ର ବତ୍ସଳ ତଥା ଦୟା, କ୍ଷମା, ମର୍ଯ୍ୟାଦା ଓ ଶାଳୀନତାର ପ୍ରତୀକ।
ବାଲ୍ୟ କାଳରେ ସେ ଭାଇମାନଙ୍କ ସହ ଖେଳିଲା ବେଳେ, ଭାଇମାନଙ୍କ ମନରେ ଆଘାତ ନଦେବା ପାଇଁ ନିଜେ ହାରି ଯାଉଥିଲେ।ବାଳକ ଶ୍ରୀରାମଙ୍କ ଦୈନନ୍ଦିନ ଜୀବନ ଚର୍ଯ୍ଯା ମଧ୍ୟରେ ପ୍ରାତଃ କାଳରୁ ଶଯ୍ୟା ତ୍ୟାଗ,ମାତା ପିତା ଓ ଗୁରୁଜନ ମାନଙ୍କୁ ପ୍ରଣାମ,ବେଦ ପୁରାଣ ପଠନ ଓ ଶ୍ରବଣ, ନଗର ବାସୀଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ ଅନ୍ତର୍ଭୁକ୍ତ ଥିଲା।ରାମ,ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଙ୍କ ବାଲ୍ୟାବସ୍ଥା ରେ ଅଯୋଧ୍ୟା ରାଜପ୍ରସାଦ ବୈକୁଣ୍ଠ ସମ ପ୍ରତୀୟମାନ ହେଉଥିଲା।
” ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।”
ଋଷି ବିଶ୍ଵାମିତ୍ରଙ୍କ ଠାରୁ ଅସ୍ତ୍ରଶସ୍ତ୍ର ବିଦ୍ୟା ଶିକ୍ଷା କରୁଥିବା ସମୟରେ ଶୟନ କାଳରେ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ, ଗୁରୁ ଙ୍କର ପଦ ସଂବାହନ କରି ଦେଉଥିଲେ।ରାଜା ଜନକ ଙ୍କ ନିମନ୍ତ୍ରଣ କ୍ରମେ ବିଶ୍ଵାମିତ୍ରଙ୍କ ସହ ରାମ, ଲକ୍ଷ୍ମଣ ଦୁଇ ଭାଇ ମିଥିଳା ଯାତ୍ରା କରିଥିଲେ।

ସେଠାରେ ଶ୍ରୀରାମ, ଶିବ ଧନୁ ଭଗ୍ନ କରି ସୀତାଙ୍କୁ ବିବାହ କରିଥିଲେ।ଧନୁ ହେଉଛି ପୁରୁଷାର୍ଥର ପ୍ରତୀକ।ସେ ସତ୍ ପଥରେ ଚାଲୁଥିବା ମିତ୍ର ମାନଙ୍କ ପ୍ରତି ଅନାବିଳ ସ୍ନେହ ଓ ଶ୍ରଦ୍ଧା ପ୍ରଦର୍ଶନ କରୁଥିଲେ। ତାଙ୍କ ପରମପ୍ରିୟ ଭକ୍ତ ହନୁମାନ, ଶରଣାପନ୍ନ ବିଭୀଷଣ, ସୁଗ୍ରୀବ,ଜାମ୍ବବାନ ଏବଂ ବାନର ସେନା ଙ୍କ ପ୍ରତି ତାଙ୍କ ଭଲପାଇବାର ପଟାନ୍ତର ନାହିଁ।
ନିଷ୍କଳଙ୍କ ଚରିତ୍ର ଶ୍ରୀରାମଚନ୍ଦ୍ର ହେଉଛନ୍ତି ଏକ ପତ୍ନୀ ବ୍ରତ ଧାରଣ କରିଥିବା ଗୃହସ୍ଥ, ଉଚିତ ସ୍ଵଧର୍ମ ଆଚରଣ କରୁଥିବା ଆଦର୍ଶ ବ୍ୟକ୍ତିତ୍ଵ ର ପ୍ରତିନିଧି।ପିତୃସତ୍ୟ ପାଳନ ପାଇଁ ବନବାସ ସମୟରେ ସେ ସ୍ଥିତପ୍ରଜ୍ଞ। କଷ୍ଟକର ପରିସ୍ଥିତିରେ ସେ ଅଟଳ ଓ ଅବିଚଳିତ ରହିଛନ୍ତି।
ତ୍ୟାଗ ଓ ବଳିଦାନର ମହାନ୍ ଆଦର୍ଶରେ ପରିଚାଳିତ ଶ୍ରୀରାମଚନ୍ଦ୍ର ରାଜ୍ଯାଭିଷେକ ପାଇଁ ଖୁସି ନଥିଲେ କିମ୍ବା ଯନ୍ତ୍ରଣା ଜର୍ଜରିତ ବନବାସ କଷ୍ଟରେ ଦୁଃଖିତ ନଥିଲେ।ସେ କୈକେୟୀ କିମ୍ବା ମନ୍ଥରା ଙ୍କ ପ୍ରତି ସାମାନ୍ୟ କ୍ରୋଧିତ ହୋଇ ନାହାନ୍ତି। ବରଂ ବନବାସ ରୁ ଫେରି ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଥମେ କୈକେୟୀ ଙ୍କ ପାଦତଳେ ମଥା ରଖି ପ୍ରଣାମ କରିଛନ୍ତି।

ସେ ଥିଲେ ଦୟାସାଗର ଓ କ୍ଷମା ସାଗର। ଗଙ୍ଗା ନଦୀ ଅତିକ୍ରମ କରିବା ସମୟରେ ପଦଧୌତ ର ସୁଯୋଗ ଦେଇ ନିଜ ପତିତପାବନ ନାମର ସାର୍ଥକତା ପ୍ରତିପାଦନ କରିଛନ୍ତି।ପରୋପକାରୀ ପୂଣ୍ଯାତ୍ମା‌ ଜଟାୟୁ ଙ୍କୁ କୋଳରେ ଧରିଛନ୍ତି ଓ ନିଜ ପିତାଙ୍କ ପରି ପିତାଙ୍କ ବନ୍ଧୁଙ୍କ ଅନ୍ତିମ ସଂସ୍କାର କରିଛନ୍ତି।ଶବରୀ ଙ୍କୁ ମା ସମ୍ବୋଧନ କରି ତାଙ୍କ ଠାରୁ ଅଇଁଠା କୋଳି ଖାଇଛନ୍ତି।ରାବଣ ସହିତ ଯୁଦ୍ଧ ସମୟରେ ପିଡିତ ଓ କ୍ଳାନ୍ତ ରାବଣ କୁ ବିଶ୍ରାମ ନେବା ପାଇଁ ସୁଯୋଗ ଦେଇ ତାଙ୍କ ଉଦାର ହୃଦୟ, ମର୍ଯ୍ୟାଦା,ଶାଳିନତା ଓ ସୈାର୍ଯ୍ଯ ର ପରିଚୟ ଦେଇଛନ୍ତି। ରାବଣର ମୃତ୍ୟୁ ପରେ ଯେତେବେଳେ ବିଭୀଷଣ ନିଜ ଭାଇର ଅନ୍ତ୍ଯେଷ୍ଟି କ୍ରିୟା କରିବାକୁ ମନା କରିଛନ୍ତିି, ସେତେବେଳେ ଶ୍ରୀରାମଚନ୍ଦ୍ର କହିଛନ୍ତି, ମୃତ୍ୟୁ ପରେ ଶତୃତା ର ଅନ୍ତ ଘଟେ। ରାବଣ କୁ ନିଜ ଭାଇର ସମ୍ମାନ ଦେଇଛନ୍ତି।ପ୍ରଜା ମାନଙ୍କର ହିତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।
ରମୟତି ଇତି ରାମ।ଯେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି,ସେ ରାମ।
ସନ୍ଥ ତୁଳସୀ ଦାସ ଙ୍କ ଭାଷାରେ,
“ଏକ୍ ରାମ ଦଶରଥକା ବେଟା,
ଏକ୍ ରାମ ଘଟ୍ ଘଟ୍ ମେଁ ବୈଠା,
ଏକ୍ ରାମ୍ ଜଗତ ପସାରା,
ଏକ୍ ରାମ୍ ଜଗତ୍ସେ ପ୍ଯାରା।”
ଡଃ କେ.ଏମ୍.ମୁନ୍ସିଙ୍କ ମତରେ,”ରାମଚନ୍ଦ୍ର ଙ୍କ ଜୀବନର ପ୍ରତିଟି ଘଟଣା, ମହାନ୍ ଭାରତୀୟ ସଂସ୍କୃତିର ମୌଳିକ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ।”
ରାମ ନାମରେ ଅଗ୍ନି,ବାୟୁ ଓ ସୂର୍ଯ୍ୟ ତତ୍ତ୍ଵ ସମନ୍ୱିତ।
ଗରୁଡ଼ ପୁରାଣ ବର୍ଣ୍ଣିତ ମୋକ୍ଷ ପ୍ରାପ୍ତିର ସପ୍ତ ତୀର୍ଥ ମଧ୍ୟରେ ଅଯୋଧ୍ୟା ଅନ୍ୟତମ।
“ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଚି ଅବନ୍ତିକା
ପୁରୀ ଦ୍ଵାରାବତୀ ଚୈବ ସପ୍ତୈତି ମୋକ୍ଷଦାୟିକା।”
ପ୍ରଭୁ ଶ୍ରୀରାମଙ୍କ ପ୍ରିୟ ଭକ୍ତ ହନୁମାନ, ଗୁମ୍ଫା ସଦୃଶ ହନୁମାନ ଗର୍ହି ମନ୍ଦିର ଅଞ୍ଚଳରେ ବାସ କରୁଥିବା ବିଶ୍ୱାସ କରାଯାଏ। ଅଯୋଧ୍ୟାର ରାମ କି ପୈଡି, ନାଗେଶ୍ଵର ନାଥ ମନ୍ଦିର,ଚକ୍ରହରିଜୀ ବିଷ୍ଣୁ ମନ୍ଦିର,ସୁମନ୍ତ ନାଥ ମନ୍ଦିର, ତୁଳସୀ ସ୍ମାରକ ଭବନ, ରାଜା ମନ୍ଦିର, ସୀତା କି ରସୋଇ,କନକ ଭବନ, ମଣି ପର୍ବତ ଆଦି ଆଜି ପର୍ଯ୍ୟନ୍ତ ସେହି ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ଗୁଣ କୀର୍ତ୍ତନ କରୁଛନ୍ତି।।
ଆଲେଖ୍ୟ: ବାବାଜୀ ଚରଣ ଦାସ ।
ପଞ୍ଚସଖା ନଗର,ଡୁମୁଡୁମା, ଭୁବନେଶ୍ବର,୭୫୧୦୧୯।