ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ।। ଆସନ୍ତୁ ଜାଣିବା ଏହାର ପୌରାଣିକ ମତ


ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ଏକ ଦୁର୍ଲ୍ଲଭ ‌ବେଶ। କେତେକ ଙ୍କ ମତରେ ଅତୀତରେ ନାଗା ସନ୍ୟାସୀମାନେ ମନ୍ଦିର ର ସୁରକ୍ଷା ଦାୟିତ୍ବରେ ଥିଲେ। ଜଣେ ନାଗା ସନ୍ୟାସୀ, ଶ୍ରୀଜଗନ୍ନାଥ ଙ୍କୁ ନାଗା ବେଶ ରେ ଦେଖିବାକୁ ଇଚ୍ଛା କରିବାରୁ ଶ୍ରୀଜଗନ୍ନାଥ ନାଗାର୍ଜୁନ ବେଶ ରେ ଉଭା ହୋଇଥିଲେ। ଏହି ବେଶ ଯୋଦ୍ଧା ଓ‌ ସନ୍ନ୍ୟାସୀ ର ସମ୍ମିଶ୍ରଣ ବେଶ। ଏହି ବେଶ ଦର୍ଶନ ପାଇଁ ନାଗା ସନ୍ୟାସୀ ମାନେ ପୁରୀ ଆସନ୍ତି।ଆଉ କେତେକ ଙ୍କ ମତରେ ଶ୍ରୀକ୍ଷେତ୍ର ର ସାହି ଯାତ ପରମ୍ପରା ସହ ପର୍ଶୁରାମ ଙ୍କ ରୂପ ସହ ଶ୍ରୀଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ର‌ ସାଦୃଶ୍ୟ ରହିଛି। ତେଣୁ ଏହା ‌ରାମାନନ୍ଦ ଙ୍କ ପ୍ରଭାବରେ ଆରମ୍ଭ ହୋଇଛି ବୋଲି ଅନୁମାନ କରାଯାଏ।ଆଉ କେତେକ ଙ୍କ ମତରେ ଏହା ପର୍ଶୁରାମ ଙ୍କ ସହସ୍ରାର୍ଜ୍ଜୁନ ବଧ ର ସ୍ମୃତି ସ୍ୱରୂପ । ପୈାରାଣିକ ଉପାଖ୍ୟାନ ଅନୁସାରେ ଦ୍ଵାପର ଯୁଗରେ ନର୍ମଦା ତଟରେ ଅବସ୍ଥିତ ହୈହୟ ରାଜ୍ୟ ର ରାଜା ଥିଲେ କୃତବୀର୍ଯ୍ଯ। ତାଙ୍କର ଅର୍ଜୁନ ନାମକ ପୁତ୍ର କାର୍ତ୍ତବୀର୍ୟ୍ଯାର୍ଜୁନ ଭାବେ ପରିଚିତ ଥିଲା।

ସେବାରେ ସନ୍ତୁଷ୍ଟ କରି ଦତ୍ତାତ୍ରେୟ ଙ୍କ ବର ପ୍ରାପ୍ତ ହୋଇ ସେ ସହସ୍ର ବାହୁ ହୋଇଥିଲା ଓ‌ ସହସ୍ରାର୍ଜୁନ ନାମରେ ପରିଚିତ ହେଲା।ଥରେ ହୈହୟ ରାଜ୍ୟ ର ରାଜଧାନୀ ମାହିଷ୍ମତୀ ନଗରୀ ର ନର୍ମଦା ତଟରେ, ପରାକ୍ରମୀ ରାବଣ, ଭଗବାନ ଶିବ ଙ୍କର ପୂଜାର୍ଚ୍ଚନା କରୁଥିଲା। ଏହି ସମୟରେ ଜଳକ୍ରୀଡା ରତ ସହସ୍ରାର୍ଜୁନ ତା’ର ସହସ୍ର ବାହୁ ସାହାଯ୍ୟରେ ନର୍ମଦା ର ଜଳସ୍ରୋତ କୁ ଅବରୋଧ କଲା। ଫଳରେ ରାବଣର ପୂଜା ସ୍ଥଳ ଜଳମଗ୍ନ ହେବାରୁ ସେ ସହସ୍ରାର୍ଜୁନ କୁ ଆକ୍ରମଣ କଲା। ରାବଣ ପରାସ୍ତ ହୋଇ ସହସ୍ରାର୍ଜୁନ ଦ୍ଵାରା ବନ୍ଦୀ ହେଲା।

ରାବଣର ପିତାମହ ପୁଲସ୍ତ୍ଯ ଋଷି ଙ୍କ ଅନୁରୋଧ ରେ ରାବଣ ମୁକ୍ତ ହେଲା।ସହସ୍ରବାହୁ ରାବଣ ସହ ମିତ୍ରତା ସ୍ଥାପନ କରି କାଳକ୍ରମେ ଅତ୍ୟନ୍ତ ଗର୍ବୀ ଓ ଉଦ୍ଧତ ହୋଇଥିଲା। ଘଟଣା କ୍ରମରେ ସେ ସୈନ୍ୟ ସାମନ୍ତ ସହ ମୃଗୟା ଉଦ୍ଦେଶ୍ୟରେ ଯାଇ,କ୍ଷୁଦ୍ଧା ଓ ତୃଷା ରେ ଆତୁର ହୋଇ ତପସିଦ୍ଧ ଜମଦଗ୍ନି ଙ୍କ ଆଶ୍ରମ ରେ ପହଞ୍ଚିଲେ। ସେହି ଆଶ୍ରମ ର ବିଶେଷତ୍ବ ଥିଲା କାମଧେନୁ। କାମଧେନୁ ଙ୍କ ଦୟାରୁ ଯମଦଗ୍ନି ଭୁରି ଭୋଜନ ଦେଇ ସହସ୍ରାର୍ଜ୍ଜୁନ ଓ‌ ତାଙ୍କ ସୈନ୍ୟ ସାମନ୍ତ ଙ୍କ କ୍ଷୁଧା ତୃଷା ଦୂର କରିବାରେ ସକ୍ଷମ ହୋଇଥିଲେ। ଏହାପରେ ସହସ୍ରାର୍ଜ୍ଜୁନ, ଜମଦଗ୍ନି ଙ୍କୁ କାମଧେନୁ ମାଗିବାରୁ ସେ ଅରାଜି ହେଲେ। ସହସ୍ରାର୍ଜୁନ ବଳପୂର୍ବକ ଅପହରଣ କରିବାକୁ ଚାହିଁବାରୁ, କାମଧେନୁ ଙ୍କ ଦ୍ଵାରା ସୃଷ୍ଟ ଅସ୍ତ୍ରଶସ୍ତ୍ର ଓ ଅସଂଖ୍ୟ ସୈନ୍ୟ ସାମନ୍ତ ଙ୍କ ଦ୍ଵାରା ପରାସ୍ତ ହେଲେ।ପରେ ସହସ୍ରାର୍ଜୁନ, ଆଶ୍ରମ ଉପରେ ଆକ୍ରମଣ କରି ଋଷି ଜମଦଗ୍ନି ଙ୍କୁ ହତ୍ୟା କଲା। ଏଥିରେ କ୍ଷୁବ୍ଧ ହୋଇ କାମଧେନୁ ବ୍ରହ୍ମଲୋକ କୁ ଫେରି ଗଲେ। ଜମଦଗ୍ନି ଙ୍କ ପୁତ୍ର ବିଷ୍ଣୁଙ୍କ ଅବତାର ପର୍ଶୁରାମ ଆଶ୍ରମ କୁ ଫେରି ସବୁକଥା ଜାଣିଲେ।ସେ ପରାକ୍ରମୀ ନାଗା ବେଶ ରେ ଯୁଦ୍ଧ କରି କାର୍ତ୍ତିକ ମାସ ପଞ୍ଚକ ର ମଳ ତିଥିରେ ନିଜର ପରଶୁ ଦ୍ଵାରା ସହସ୍ରାର୍ଜ୍ଜୁନ କୁ ବଧ କଲେ। ଏହା ଦ୍ବାରା ପୃଥିବୀର ପାପ ଭାର ଲାଘବ କରିଥିଲେ। ପରଶୁରାମ ଙ୍କ ଲୀଳାର ସ୍ମାରକୀ ରୂପେ ଶ୍ରୀଜଗନ୍ନାଥ ନାଗାର୍ଜୁନ ବେଶ ହୋଇଥାଆନ୍ତି।
ଅନ୍ୟ କେତେକ ଙ୍କ ମତରେ ଗୋଟିଏ ପକ୍ଷରେ ଅର୍ଜୁନ , କୃଷ୍ଣ, ବଳରାମ ଓ ଅନ୍ୟ ପକ୍ଷରେ ନାଗାର୍ଜୁନ,ଶିବ ଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହା ଅନୁଷ୍ଠିତ ହୁଏ ।ଶିବ ଓ ବିଷ୍ଣୁ ଙ୍କର ସମନ୍ୱୟ ର ପ୍ରତୀକ ହେଉଛି ନାଗାର୍ଜୁନ ବେଶ।
ଦ୍ଵାପର ଯୁଗରେ ପୂଣ୍ଯଶ୍ଳୋକ ରାଜା ଯୁଦ୍ଧିଷ୍ଠିର ଙ୍କ ହସ୍ତିନା କଟକ ରାଜଦରବାରରେ ମହତୀ ବୀଣା ବଜାଇ ଦେବର୍ଷି ନାରଦ ପହଞ୍ଚି ସମ୍ବାଦ ଦେଲେ ଯେ ଯୁଦ୍ଧିଷ୍ଠିର ଙ୍କ ପିତା ପଣ୍ଡୁ ଙ୍କ ସ୍ଵର୍ଗ ଗମନ ହୋଇ ପାରିନାହିଁ। ଗଣ୍ଡା ମାଂସ ରେ ପିତୃ ଶ୍ରାଦ୍ଧ ଦେଲେ ସେ ମୁକ୍ତିଲାଭ କରି ସ୍ବର୍ଗଗାମୀ ହେବେ ବୋଲି ମହର୍ଷି ଉପାୟ ବତାଇ ଦେଲେ।ବଡ଼ଭାଇ ଙ୍କ ଆଦେଶ ମତେ ଅର୍ଜୁନ ଗଣ୍ଡା ଅନ୍ଵେଷଣ ରେ ଯାଇ ନଅ ଦିନ ଧରି ବିଫଳ ହେବା ପରେ ଗଙ୍ଗା ନଦୀ କୂଳରେ ପହଞ୍ଚି ଆତ୍ମ ବିସର୍ଜନ କରିବାକୁ ଚିନ୍ତା କଲେ।ସଖା କୃଷ୍ଣ ଙ୍କୁ ସ୍ମରଣ କରନ୍ତେ ଏହି ସମୟରେ ଏକ ଗଣ୍ଡା ଦୃଶ୍ୟମାନ ହେଲା।ଅର୍ଜୁନ ଶର ନିକ୍ଷେପ କରି ଗଣ୍ଡା କୁ ଶିକାର କଲେ। ଏହି ଗଣ୍ଡା ଟି ହେଉଛି ନାଗାର୍ଜୁନ ର ରକ୍ଷଣାବେକ୍ଷଣ ଦାୟିତ୍ବ ରେ ଥିବା ମା ପାର୍ବତୀଙ୍କ ପାଳିତ ଗଣ୍ଡା। ସେହି ସମୟରେ ନାଗାର୍ଜୁନ,ତାର ମା ନାଗାବାଳୀ କୁ ଦେଖା କରିବାକୁ ପାତାଳ ପୁର କୁ‌ ଯାଇଥିଲା।ଅଶୁଭ ସଙ୍କେତ ପାଇ ଫେରି ଆସି ଦେଖିଲା ଗଣ୍ଡା ଟି ମୃତ୍ୟୁ ବରଣ କରିଛି। ଅର୍ଜୁନ ଙ୍କ ସହ ତା’ର ଯୁଦ୍ଧ ହେଲା। ନାଗାର୍ଜୁନ, ମହାଦେବ ଙ୍କ ପ୍ରଦତ୍ତ ମହାକାଳ ଅସ୍ତ୍ର ରେ ଅର୍ଜୁନଙ୍କୁ ଅଣ୍ଟା ଠାରୁ ଦୁଇ ଗଡ କରିଦେଲା। ଦ୍ଵାରକା ନଗରୀ ରେ ନାରଦଙ୍କ ଠାରୁ ଅର୍ଜୁନ ର ମୃତ୍ୟୁ ଖବର ପାଇ କୃଷ୍ଣ ଓ ବଳରାମ କୃଦ୍ଧ ହୋଇ ନନ୍ଦିଘୋଷ ଓ ତାଳଧ୍ଵଜ ରଥ ରେ ସାମନ୍ତ ରାଜା ମାନଙ୍କ ସହିତ ଯୁଦ୍ଧକୁ ବାହାରିଲେ। ହସ୍ତିନାପୁର କୁ ଯାଇ ଯୁଧିଷ୍ଠିର ଙ୍କୁ ଏ କଥା ଜଣାଇବାରେ ଅନ୍ୟ ସମସ୍ତେ ଯୁଦ୍ଧ କ୍ଷେତ୍ରକୁ ଯାତ୍ରା କଲେ। ନାଗାର୍ଜୁନ ଓ ଶିବ ଗୋଟିଏ ପକ୍ଷରେ ଏବଂ ଅନ୍ୟ ପକ୍ଷରେ କୃଷ୍ଣ, ବଳରାମ। ପ୍ରଥମେ ବାକ୍ ଯୁଦ୍ଧ ଓ‌ ପରେ ଦ୍ଵନ୍ଦ‌ ଯୁଦ୍ଧ ହେଲା। ସଂସାର ର ଅନିଷ୍ଟ ଆଶଙ୍କା କରି ବ୍ରହ୍ମା ଆସି ସେଠାରେ ପହଞ୍ଚିଲେ।

ସେ ଶିବ ଓ ବଳରାମ ଙ୍କୁ ସ୍ତୁତି କରି ଉଭୟ ଙ୍କୁ ଶାନ୍ତ କଲେ। ଶ୍ରୀକୃଷ୍ଣ ବ୍ରହ୍ମା ଙ୍କୁ କହିଲେ, ଅର୍ଜୁନ ଙ୍କ ଜୀବନ ହିଁ ତାଙ୍କର ଏକମାତ୍ର କାମ୍ୟ। ତାହା ଜାଣି ବ୍ରହ୍ମା ଯମ ଙ୍କୁ ସ୍ମରଣ କଲେ।ଯମ ଆସି ପହଞ୍ଚିବାପରେ ତାଙ୍କୁ ଅର୍ଜୁନ ର ଜୀବନ ଫେରାଇ ଦେବାକୁ କହିଲେ। ସେତେବେଳେ ଯମ , ମାତା ଛାୟା ଦେବୀ ଙ୍କ ଅଭିଶାପ ରୁ କୁଷ୍ଠ ରୋଗାକ୍ରାନ୍ତ ଥିଲେ। ତାଙ୍କୁ ପ୍ରଥମେ ରୋଗମୁକ୍ତ କରିବା ପାଇଁ ବ୍ରହ୍ମା ଙ୍କୁ ଅନୁରୋଧ କରିଥିଲେ। ତାଙ୍କୁ ରୋଗମୁକ୍ତ କଲାପରେ ବ୍ରହ୍ମା ଙ୍କର ଜଡ଼ିବୁଟି ମହୋଷଧି ସାହାଯ୍ୟରେ ଅର୍ଜୁନ ଙ୍କ କଟା ଶରୀର ଯୋଡା ହେଲା।ଯମ ତାଙ୍କୁ ପ୍ରାଣ ଫେରେଇ ଦେଲେ। ବ୍ରହ୍ମା ତାଙ୍କ ଦେହରେ କମଣ୍ଡଳୁ ଜଳ ସିଞ୍ଚନ କରିବାରୁ ସେ ଜାଗ୍ରତ ହେଲେ। ଅର୍ଜୁନ ଙ୍କ ନିବେଦନ ରେ ପଣ୍ଡୁ ବ୍ରହ୍ମହତ୍ୟା ପାପରୁ ମୁକ୍ତି ପାଇ ସ୍ଵର୍ଗ ଗମନ କଲେ।ବୀର ବେଶରେ ମହାପ୍ରଭୁ ସଜେଇ ହୁଅନ୍ତି। ଏଥିପାଇଁ ଦଶହରା ଠାରୁ ହରଚଣ୍ଡୀ ସାହି ଚକ୍ରକୋଟ ଜାଗାରେ ବେଶ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୁଏ।ସୋଲ,କନାଜରି,ବେତ ରେ ନିର୍ମିତ ଏହି ବେଶରେ ଶ୍ରୀଜଗନ୍ନାଥ ଙ୍କୁ ଯୋଦ୍ଧା ରୂପେ ସଜାଇ ଦିଆଯାଏ। ତାଙ୍କ ଅଣ୍ଟା ରେ ନାଗା ତାଟି, ଧନୁଶର ପୂର୍ଣ୍ଣ ତୁଣୀର,କଟାରୀ, ଛୁରୀ,ବାଘ ନଖ,ଏରା ପକ୍ଷୀ ର ପର,ଢାଲ ଓ ସୋଲ ତିଆରି କାରୁକାର୍ଯ୍ୟ ରେ ସଜେଇ ଦିଆଯାଏ। ଏହି ବେଶ ରେ ଶ୍ରୀଜଗନ୍ନାଥ ଦୁଇ ହାତରେ ଓଳମାଳି ଧରିଥାନ୍ତି।ତା ସହିତ ବାମ‌ ହସ୍ତରେ ରୂପା ଶଂଖ ଓ ଡାହାଣ ହସ୍ତରେ ଚକ୍ର ଧରିଥାନ୍ତି। ସ୍ଵର୍ଣ୍ଣ ଶ୍ରୀଭୂଜ ଓ ଶ୍ରୀ ପୟର, ଏହି ବେଶ ର ବିଶେଷତ୍ବ। ସେହିପରି ଶ୍ରୀବଳଭଦ୍ର ବାମ ହସ୍ତରେ ମୂଷଳ ଓ ଦକ୍ଷିଣ ହସ୍ତରେ ହଳ ଧରିଥାନ୍ତି।ମା ସୁଭଦ୍ରାଙ୍କ ମୁଣ୍ଡରେ ସୁନା ମୁକୁଟ ସହିତ ଚନ୍ଦ୍ରିକା ଓ କର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ। ନାଗାର୍ଜୁନ ବେଶ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର‌ ପାପ ନାଶ ହୋଇ ମୋକ୍ଷ ମିଳିଥାଏ ବୋଲି ବିଶ୍ଵାସ ରହିଛି।
ମଳ ତିଥିରେ ଭଗବାନ ଜଗନ୍ନାଥଙ୍କର ନାଗାର୍ଜୁନ ବେଶ ହୁଏ।୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ଏହି ବେଶ ଅନୁଷ୍ଠିତ ହୋଇଥିଲା।୨୦୨୦ ମସିହାରେ ସେହି ଦୁର୍ଲ୍ଲଭ ବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ମାନଙ୍କ ଜୀବନ ଧନ୍ୟ ହୋଇଛି। ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶ ବା ଆଡିକିଆ ବେଶ ଅନୁଷ୍ଠିତ ହୁଏ।।

ଆଲେଖ୍ୟ:: ବାବାଜୀ ଦାସ ।