ପ୍ରାଥମିକ ବିଦ୍ୟାଳୟରୁ ଶୌଚ ହେବାକୁ ଯାଇ ଛାତ୍ର ନିଖୋଜ

ଗଣିଆ୦୩.୦୨.(ବିଶ୍ୱରଂଜନ ସେଠି) ଗଣିଆ ଥାନା ଅନ୍ତର୍ଗତ ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରୁ ଜଣେ ଛାତ୍ର ନିଖୋଜ ହେବାର ଅଭିଯୋଗ ହୋଇଛି । ନିଖୋଜ ହୋଇଥିବା ଛାତ୍ର ଜଣକ ହେଲେ ବିଜୟନଗର ଗ୍ରାମର ବିଜୟ ମଳିକଙ୍କ ପୁତ୍ର ଭୋଳାନାଥ ମଳିକ (୧୦) । ମିଳିଥିବା ସୁଚନା ଅନୁସାରେ ଭୋଳାନାଥ ମଳିକ ବେଲପଡ଼ା ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀରେ ପାଠ ପଢନ୍ତି । ତେବେ ଛାତ୍ରଜଣକ ମଧ୍ୟାନ୍ନ ଭୋଜନ ଖାଇ ସାରିବା ପରେ ଝାଡ଼ା ଯିବେ ବୋଲି କହି ପ୍ରଧାନଶିକ୍ଷୟତ୍ରୀ ମନିଷା ସେନାପତିଙ୍କୁ କହି ଆସିଥିଲା । ଅପରାହ୍ନ ୪ଟାରେ ବିଦ୍ୟାଳୟ ଛୁଟି ହେବା ପର୍ଯ୍ୟନ୍ତ ଭୋଳାନାଥ ବିଦ୍ୟାଳୟକୁ ନଫେରିବାରୁ ତାର ବ୍ୟାଗ ପିଲାଙ୍କ ହାତରେ ପ୍ରଧାନଶିକ୍ଷୟତ୍ରୀ ତାଙ୍କ ଘରକୁ ପଠାଇ ଦେଇଥିଲେ । ତେବେ ଭୋଳାନାଥ ଘରକୁ ନଫେରିବାରୁ ପରିବାର ଲୋକ ବିଭିନ୍ନ ଜାଗା ଖୋଜାଖୋଜି କରିବା ସହିତ ବିଦ୍ୟାଳୟ ନିକଟସ୍ଥ ପୋଖରୀକୁ ଝାଡ଼ା ଯାଇଥିବା ସନ୍ଦେହ କରି ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଦମକଳ ବାହୀନୀ କର୍ମଚାରୀମାନେ ଦୀର୍ଘ ୨ ଘଂଟା ପୋଖରୀରେ ଖୋଜାଖୋଜି କରିବା ପରେ କିଛି ମିଳିନଥିଲା । ତେବେ ଛାତ୍ର ଜଣକ କୁଆଡ଼େ ଗଲା ତାର କିଛି ଖୋଜଖବର ମିଳୁନଥିବାବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଯଦି କେହି ସହୃଦୟ ବ୍ୟକ୍ତି ଭୋଳାନାଥର ସୁରାକ ପାଆନ୍ତି ତେବେ ଗଣିଆ ଥାନାକୁ ଖବର ଦେବା ସହିତ ୮୯୧୭୨୨୮୯୧୮ ଓ ୯୮୬୧୫୭୨୦୫୯ ନମ୍ବରରେ ଯୋଗାଯୋଗ ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।