ପ୍ରାଥମିକ ଶିକ୍ଷା ପାଇଁ ରାଜ୍ୟରେ ରହିବ ଗୋଟିଏ ବୋର୍ଡ

ଆସନ୍ତା ୩ ବର୍ଷରେ ରାଜ୍ୟରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ । ଏଭଳି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪୫ ହଜାର ଶିକ୍ଷକ ପଦବୀ ମଧ୍ୟରୁ ୪୦ ହଜାର ନୂତନ ପଦବୀ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ । ସ୍କିମାଟିକ୍‌ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏହା ସହ ସିଏଚଏସଇ, ବିଏସଇକୁ ମିଶାଇ ଗୋଟିଏ ବୋର୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।