ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ ଆରୋଗ୍ୟ ସମିତି ବୈଠକ ଆଲୋଚନାରେ ସିମୀତ ଉନ୍ନତୀକରଣ ଓ ରୋଗୀ ସେବା ୨ବର୍ଷ ହେଲା ବୋରୱେଲ ଓ ହାଇମାସ୍କ ଲାଇଟ ପାଇଁ କେବଳ ମିଳୁଛି ପ୍ରତିଶୃତି

ଗଣିଆ – (ବିଶ୍ୱରଂଜନ ସେଠି ) କେନ୍ଦ୍ର ତଥା ରାଜ୍ୟ ସରକାର ଗ୍ରାମାଚଂଳରେ ବସବାସ କରୁଥିବା ଜନସାଧାରଣଙ୍କ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଅନେକ ଅନୁଦାନ ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ସମ୍ପର୍କୀତ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଏଥି ନିମିତ ପ୍ରତିବର୍ଷ ଜନ ଆରୋଗ୍ୟ ସମିତି ବୈଠକ ଆୟୋଜନ କରାଯାଇ ସାମ୍ଭାବ୍ୟ ବ୍ୟୟ ଅଟକଳ ସହ ଖର୍ଚ୍ଚ ହିସାବ କରାଯାଉଅଛି । ହେଲେ ଏହି ବୈଠକ କେବଳ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ , ନିର୍ବାଚିତ ଲୋକ ପତିନିଧି ଓ କେତେକ ସ୍ଥାନୀୟ ଲୋକଙ୍କ ଆଲୋଚନାରେ ସୀମିତ ହୋଇ ରହୁଅଛି । ଗଣିଆ ବ୍ଲକ ଛାମୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୁଧବାର ପୂର୍ବାହ୍ନରେ ଗଣିଆ ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରାଙ୍କ ଅଧକ୍ଷତାରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଛାମୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ରାଜେନ୍ଦ୍ର ପ୍ରସାଦ ଦଳେଇ, ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡା. ମଧୁସୂଦନ ଦାସ, ଡା ବିଦ୍ୟୁଲତା ଦାଶ, ଫାର୍ମାସି ଅଫିସର ସନ୍ତୋଷ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାନୀୟ ଜଳ ପାଇଁ ଏକ ବୋରୱେଲ ଖୋଳାଯିବା ସହ ହାଇମାସ୍କ ଲାଇଟ ଲଗାଇବା ପାଇଁ ଗତ ୨ବର୍ଷ ଆଲୋଚନା ହେଉଥିଲେ ମଧ୍ୟ ଏହାର ଅଗ୍ରଗତି ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଖୋଦ୍ ବୈଠକର ଅଧକ୍ଷ ଜିଲ୍ଲା ପରିଷଦ ସଭ୍ୟ ବିଗତ ବର୍ଷ ଗୁଡିକ ପରି ଚଳିତ ବର୍ଷ ମଧ୍ୟ ବୋରୱେଲ ଓ ହାଇମାସ୍କ ଲାଇଟ ପାଇଁ ଜିଲ୍ଲାପରିଷଦ ପାଣ୍ଠିରୁ ଅର୍ଥ ମଞୁର କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି । ଅନ୍ୟପରି ସ୍ୱାସ୍ଥ୍ୟକେନ୍ଦ୍ରର ଗୋଟିଏ ମାତ୍ର ଗେଟ୍ ଦେଇ ରୋଗୀଙ୍କ ସମେତ ଏଠାରେ ରହିଥିବା ୧୦୮ ଆମ୍ବୁଲାନ୍ସ ଯାତାୟତ ପାଇଁ ଅନେକ ସମୟରେ ସମସ୍ୟା ଦେଖାଦେଉଛି । ତେବେ ୧୦୮ ଆମ୍ବୁଲାନ୍ସ ଯାତାୟତ ପାଇଁ ଏକ ନୂତନ ଫାଟକ ନିର୍ମାଣ ସହ ରୋଗୀଙ୍କ ପାଇଁ ବିଶ୍ରାମସ୍ଥଳ , ବିଶୁଦ୍ଧ ପାନୀୟ ଜଳ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୨ଲକ୍ଷ ୯୩ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ତେବେ ଅନ୍ୟପରି ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ୧୩ କିଲୋମିଟର ଦୂରରେ ଥିବା ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆଦିବାସୀ ପ୍ରବଣ ଛାମୁଣ୍ଡିଆ ଓ ବଡଶିଲିଙ୍ଗା ପଚାଂୟତର ଜନସାଧାରଣ ନିର୍ଭର କରିଥାନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଡାକ୍ତରଙ୍କ ପାଇଁ ଆବଶ୍ୟ କ୍ୱାର୍ଟର ନଥିବାରୁ ନିଯୁକ୍ତି ପାଇଥିବା ୨ଜଣ ଡାକ୍ତର ଗଣିଆରେ ରହୁଥିବା ଜଣାପଡିଛି । ରବିବାର ବ୍ୟତୀତ ଏହି ସ୍ୱାସ୍ଥ୍ୟକେନ୍ଦ୍ର ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଖୋଲାରହୁଥିବା ବେଳେ ଅନ୍ୟ ସମୟରରେ ଲୋକେ ସ୍ୱାସ୍ଥ୍ୟସେବା ପାଇପାରୁନାହାନ୍ତି । ଏପରିକି ୧୦୮ ଆମ୍ବଲାନ୍ସରେ କୌଣସି ଲୋକ ଗୁରୁତର ଅବସ୍ଥାରେ ଆସୁଥିଲେ ୧୨ଟା ପରେ ଏଠାରେ ଚିକିତ୍ସା ସେବା ପାଇ ପାରୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତେବେ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ ସହ ଲୋକଙ୍କୁ ଦୈନିକ ୮ଘଟାଂ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସ୍ଥାନୀୟ ଅଚଂଳବାସୀଙ୍କ ତରଫରୁ ଦାବୀ ହେଉଅଛି । ସେହିପରି ଆଡକଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜିଲ୍ଲା ପରିଷଦ ସଭ୍ୟଙ୍କ ସଭାପତିତ୍ୱରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୌଠକରେ ଡା. ସୁନିଲ କୁମାର ଦଳେଇ ଓ ଫାର୍ମାସି ଅଫିସର ଦୀନବନ୍ଧୁ ପୃଷ୍ଟିଙ୍କ ଉପସ୍ଥିତ ରହି ସ୍ୱାସ୍ଥ୍ୟକେନ୍ଦ୍ରକୁ ପାନୀୟ ଜଳ, ସ୍ୱାସ୍ଥ୍ୟ ଉପକରଣ ପରି ବିଭିନ୍ନ ସମସ୍ୟା ସମାଧାନ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।