ପ୍ରେମାନନ୍ଦ ଜୀ ମହାରାଜଙ୍କ ଖରାପ ସ୍ୱାସ୍ଥ୍ୟାବସ୍ଥା ପାଇଁ ଚିନ୍ତାରେ ଭକ୍ତ
ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ ମହାରାଜଙ୍କ ଖରାପ ସ୍ୱାସ୍ଥ୍ୟାବସ୍ଥା ପାଇଁ ବର୍ତ୍ତମାନ ସେ ଚର୍ଚ୍ଚାରେ ଅଛନ୍ତି । ଉତ୍ତର ପ୍ରଦେଶର ମଥୁରାରେ ଥିବା କେଳି କୁଞ୍ଜ ଆଶ୍ରମର ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଏବେ ଭକ୍ତମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି । ପ୍ରେମାନନ୍ଦ ଜୀ ମହାରାଜଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅକ୍ଟୋବର ୨ ତାରିଖରୁ ପଦଯାତ୍ରା ସ୍ଥଗିତ ରଖିଛନ୍ତି ।ପ୍ରେମାନନ୍ଦ ମହାରାଜ ଦୀର୍ଘ ଦିନ ଧରି ପଲିସିଷ୍ଟିକ୍ କିଡନୀ ରୋଗରେ ପୀଡିତ ଅଛନ୍ତି । ତାଙ୍କ ଚିକିତ୍ସାରେ ସାମିଲ ଥିବା ଜଣେ ବରିଷ୍ଠ ନେଫ୍ରୋଲୋଜିଷ୍ଟ ଡାକ୍ତର ଆଶିଷ ଶର୍ମାଙ୍କ କହିବା ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି । ପୂର୍ବରୁ ସପ୍ତାହରେ ସାତ ଦିନ ପର୍ଯ୍ୟନ୍ତ ତାଙ୍କର ଡାଏଲିସିସ୍ ଚାଲିଥିଲା, ଯାହାକୁ ବର୍ତ୍ତମାନ ପାଞ୍ଚ ଦିନକୁ ହ୍ରାସ କରାଯାଇଛି । ଡାକ୍ତର କହିଛନ୍ତି ଯେ ପ୍ରେମାନନ୍ଦ ମହାରାଜ ତାଙ୍କ ରୋଗକୁ ଗ୍ରହଣ କରିଛନ୍ତି ଏବଂ ଏହାକୁ ତାଙ୍କ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିଛନ୍ତି ।
ଡାକ୍ତର କହିଛନ୍ତି ଯେ ପ୍ରେମାନନ୍ଦ ଜୀ ମହାରାଜ ତାଙ୍କ ବାସଭବନରେ ଏକ ହାଇ-ଟେକ୍ନିକାଲ୍ ଡାଏଲିସିସ୍ ରୁମ୍ ତିଆରି କରିଛନ୍ତି । ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଏବଂ ଦୈନନ୍ଦିନ କାର୍ଯ୍ୟ ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ପ୍ରତ୍ୟେକ ଦିନ ରାତି ୧୨.୩୦ଟାରେ ଉଠିବା ପରେ ସ୍ନାନ କରନ୍ତି ପ୍ରେମାନନ୍ଦ ମହାରାଜ । ପରେ ଧ୍ୟାନ ସାରି ତୀର୍ଥଯାତ୍ରା କରନ୍ତି ଏବଂ ନିଜ ଭକ୍ତମାନଙ୍କୁ ଭେଟନ୍ତି । ଏହି କାର୍ଯ୍ୟ ଥକାପଣ ସୃଷ୍ଟି କରେ ସତ କିନ୍ତୁ ତାଙ୍କର ସକାରାତ୍ମକ ମନୋଭାବ ଏବଂ ସେବା ମନୋଭାବ ତାଙ୍କୁ ସବୁବେଳେ ସକ୍ରିୟ ରଖୁଛି ।
