ପ୍ରେମ ପାଇଁ ଜନ୍ମ ଦେଇଥିବା ମାଆ ଓ ଭାଇଙ୍କୁ ହତ୍ୟା କଲା ଝିଅ
ପ୍ରେମ ପାଇଁ ଜନ୍ମ ଦେଇଥିବା ମାଆ ଓ ଭାଇଙ୍କୁ ହତ୍ୟା। ପ୍ରେମିକ ସହିତ ମିଶି ଝିଅ ଜଘନ୍ୟକାଣ୍ଡ ଭିଆଇଥିବା ସନ୍ଦେହ। କୋରାପୁଟ ଜିଲ୍ଲା ଜୟପୁର ବୋରିଗୁମ୍ମାରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।ନିଖୋଜ ମା, ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୨୧ତାରିଖରୁ ନିଖୋଜ ଥିବା ନେଇ ବୋରିଗୁମ୍ମା ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି କୋଟପଡ଼ ଥାନା ଅଞ୍ଚଳ ଏକ କେନାଲରୁ ବସ୍ତା ଭିତରେ ବନ୍ଧା ହୋଇ ନିଖୋଜ ପୁଅର ଶବ ଉଦ୍ଧାର ହୋଇଥିବା ବେଳେ ଆଜି ସକାଳୁ ମାଙ୍କ ମୃତଦେହ ଜୟନ୍ତଗିରି ନିକଟସ୍ଥ କେନାଲରୁ ଉଦ୍ଧାର ହୋଇଛି ।ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କାଙ୍କ ସୂଚନା ଅନୁସାରେ, “ଶିବାନୀ ନାୟକ ଜଣେ ଯୁବକଙ୍କୁ ପ୍ରେମ କରୁଥିବା ବେଳେ ବିରୋଧ କରୁଥିଲେ ଘର ଲୋକ । ଯାହାକୁ ନେଇ ଶିବାନୀ ମାଆ ଅନୁଷ୍କାଙ୍କ ସହ ୧୩ ବର୍ଷୀୟ ଭାଇକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା । ଯେଉଁଥିରେ ଶିବାନୀଙ୍କ ପ୍ରେମିକ ଆଦିଙ୍କ ସହ ଅନ୍ୟ ଜଣେ ବନ୍ଧୁ ସହଯୋଗ କରିଛନ୍ତି ।”୧୮ ତାରିଖ ରାତିରେ ଏହି ଡବଲ୍ ମର୍ଡର ହୋଇଥିବା ବେଳେ ଘଟଣାର ଦୁଇରୁ ତିନି ପରେ ୨୧ ତାରିଖରେ ଅନୁଷ୍କାଙ୍କ ଭାଇ ସତ୍ୟବାନ ପାତ୍ର ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାର ଛାନଭିନ କରିବା ପରେ ହତ୍ୟାକାଣ୍ଡ ଉପରୁ ପରଦା ହଟିବାରେ ଲାଗିଛି ।ନିଖୋଜ ମାମଲାର ତଦନ୍ତ କରି ପୋଲିସ ସୁଚିନ୍ତିତ ହତ୍ୟା ଷଡ଼ଯନ୍ତ୍ର ପାଖରେ ପହଞ୍ଚିଛି ।
