ପ୍ରେମ ବିବାହ କରି ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ଫେରାର, ଘର ଜାଳିଦେଲେ ନଣଦେଇ

ପ୍ରେମ ବିବାହ କରି ସମସ୍ୟାରେ ଭିନ୍ନକ୍ଷମ ପତ୍ନୀ l ଶାଶୂଘର ଲୋକେ ନିଜ ଘର ଛାଡ଼ି ଅନ୍ୟତ୍ର ପଳାଇଥିବା ବେଳେ, ଚାଳ ଘରେ ଏକା ରୋଷେଇ କରି ସ୍ୱାମୀ ଅପେକ୍ଷାରେ ରହୁଥିଲେ ଭିନ୍ନ ଜାତିର ଭିନ୍ନକ୍ଷମ ବୋହୂ ଲକ୍ଷ୍ମୀପ୍ରିୟା ବେହେରା (୨୦) l ଗତକାଲି ରାତିରେ ଗାଁ ଲୋକେ ଦୀପାବଳିରେ ପାଲା ଦେଖି ନିଜ ନିଜ ଘରେ ଶୋଇଥିବା ବେଳେ ଭୋର ପ୍ରାୟ ସାଢେ ୪ଟା ବେଳେ କେହି ଦୁର୍ବୃତ୍ତ ଲକ୍ଷ୍ମୀ ରହୁଥିବା ଚାଳ ଘରକୁ ନିଆଁ ଲଗାଇଦେଇଥିଲା l ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ବସନ୍ତପଡ଼ା ଗାଁରେ ଲ ସୂଚନାମୁତାବକ କୁମୁସୀ ଗାଁର ଲକ୍ଷ୍ମୀପ୍ରିୟା ବେହେରାଙ୍କର ଚଳିତ ବର୍ଷ ଏପ୍ରିଲରେ ବସନ୍ତ ପଡା ଗାଁର ସୁବ୍ରତ ସାହୁ (୨୨)ଙ୍କ ସହ ଶିବ ମନ୍ଦିରରେ ପ୍ରେମ ଆରମ୍ଭ ହୋଇଥିଲା l ତାପରେ ସମ୍ପର୍କ ବଢ଼ି ବିବାହ କରି ମାସେ ତଳେ ନିଜ ଘରକୁ ଆଣିଥିଲେ ସୁବ୍ରତ l ଘରେ କିନ୍ତୁ ତାଙ୍କୁ ତାଙ୍କ ମା ସୌଭାଗିନୀ ସାହୁ, ଭାଇ ସନାତନ ସାହୁ, ତାଙ୍କ ଭାଉଜ, ଭଉଣୀ ସମସ୍ତେ ବିରୋଧ କରିଥିଲେ l ଏ ନେଇ ଗତ ମାସ ୨୫ ତାରିଖ ରେ ପୁଲିସରେ ଏକ ମାମଲା ରୁଜୁ ହୋଇ ଅସହାୟ ଲକ୍ଷ୍ମୀଙ୍କୁ ଢେଙ୍କାନାଳ ସଖୀ ଗୃହରେ ରଖା ଯାଇଥିଲା l କିଛି ଦିନ ପରେ ସେଠାରୁ ସେ ପଳାଇ ଆସି ପ୍ରାୟ କୋଡିଏ ଦିନ ଧରି ସ୍ୱାମୀ ଅପେକ୍ଷାରେ ଶାଶୂଘର ଚାଳ କୁଡ଼ିଆ ପିଣ୍ଡାରେ ରହି ଆସୁଥିଲେ l ଗତକାଲି ପାଖରେ ପାଲା ହେଉଥିବା ବେଳେ ସେ ଘର ଭିତରକୁ ଯାଇ ଶୋଇଥିଲେ l ଏହାର ସୁଯୋଗ ନେଇ ତାଙ୍କ ନଣନ୍ଦେଇ ଶକ୍ତି ସାମଲ ନିଆଁ ଲଗାଇଦେଇ ମାରି ଦେବାକୁ ଉଦ୍ୟମ କରିଥିଲେ ବୋଲି ପୀଡ଼ିତା କହିଛନ୍ତି l ସମ୍ମୁଖ ଘରେ ରହୁଥିବା ପଡୋଶୀ ନିତ୍ୟାନନ୍ଦ ସାହୁ ତାଙ୍କ ଲୁଗାରୁ ନିଆଁ ଲିଭାଇ ତାଙ୍କୁ ଉଦ୍ଧାର କରିଥିଲେ lପୂର୍ବରୁ ତାଙ୍କ ଶାଶୁ ଘର ଲୋକେ କିରୋସିନି ଢାଳି ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ପୀଡିତା |