ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ଆଜିଠାରୁ ବିଶ୍ୱପ୍ରସିଦ୍ଧ ‘ମାଘ ମେଳା ୨୦୨୬’ ଆରମ୍ଭ

ଧର୍ମନଗରୀ ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ଆଜିଠାରୁ ବିଶ୍ୱପ୍ରସିଦ୍ଧ ‘ମାଘ ମେଳା ୨୦୨୬’ ଆରମ୍ଭ ହୋଇଛି। ଆଜି ପୌଷ ପୂର୍ଣ୍ଣିମାର ଶୁଭ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ମିଳନ ସ୍ଥଳରେ ଆସ୍ଥାର ବୁଡ଼ ପକାଇଛନ୍ତି । ମାଘ ମାସରେ ପ୍ରୟାଗରାଜରେ ସ୍ନାନ ଏବଂ କଳ୍ପବାସ କରିବା ଦ୍ୱାରା ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୁଏ ଏବଂ ସମସ୍ତ ପାପରୁ ମୁକ୍ତି ମିଳିଥାଏ । ପୌଷ ପୂର୍ଣ୍ଣିମା ସହିତ ମାଘ ମେଳାରେ ଏକ ମାସ ଧରି ଚାଲିବାକୁ ଥିବା ‘କଳ୍ପବାସ’ ମଧ୍ୟ ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳ୍ପବାସୀ ମାନେ ସଙ୍ଗମ କୂଳରେ ତମ୍ବୁ ଗାଡ଼ି ନିଜର ଆଧ୍ୟାତ୍ମିକ ସାଧନା ଆରମ୍ଭ କରିଛନ୍ତି । କଳ୍ପବାସ ସମୟରେ ଶ୍ରଦ୍ଧାଳୁମାନେ ସାତ୍ତ୍ୱିକ ଜୀବନଯାପନ କରନ୍ତି, ଦିନକୁ ଥରେ ମାତ୍ର ଭୋଜନ କରନ୍ତି ଏବଂ ଅଧିକାଂଶ ସମୟ ଭଗବାନଙ୍କ ନାମ ଜପ ଓ ଭଜନ କୀର୍ତ୍ତନରେ ଅତିବାହିତ କରନ୍ତି ।ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଉତ୍ତର ପ୍ରଦେଶ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ହଜାର ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ସଙ୍ଗମ ଅଞ୍ଚଳକୁ ବିଭିନ୍ନ ସେକ୍ଟରରେ ବିଭକ୍ତ କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ୮ କିମି ଲମ୍ବା ଘାଟ ତିଆରି କରାଯାଇଛି । ପାନୀୟ ଜଳ, ସ୍ୱାସ୍ଥ୍ୟ ଶିବିର, ଶୌଚାଳୟ ଏବଂ ରାତିରେ ରହିବା ପାଇଁ ଆଶ୍ରୟ ସ୍ଥଳୀର ସୁବିଧା କରାଯାଇଛି। ପୁରାଣ ଅନୁସାରେ, ଗୋଟିଏ ବୁଡ଼ ପକାଇଲେ ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ଭକ୍ତଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି । ମାଘ ମେଳା କେବଳ ଏକ ଧାର୍ମିକ ସମାଗମ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତି, ଏକତା ଏବଂ ଭକ୍ତିର ଏକ ପ୍ରତୀକ ।