ପ୍ଲାଜମା ଥେରାପି କ’ଣ ?

ଯେଉଁମାନେ କୋଭିଡ-୧୯ରୁ ସୁସ୍ଥ ହୁଅନ୍ତି ସେମାନେ ନିଜ ରକ୍ତରେ ରୋଗର ପ୍ରାକୃତିକ ପ୍ରତିରକ୍ଷା ବିକାଶ କରନ୍ତି, ଯାହାକୁ ଆଣ୍ଟିବଡି ବୋଲି କୁହାଯାଏ । ରକ୍ତରେ ପ୍ଲାଜମା ବାଦ୍ ଆରବିସି, ଡବ୍ଲ୍ୟୁବିସି ଓ ପ୍ଲେଟଲେଟ ରହିଛି। ତେବେ ଯେଉଁ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ତାଙ୍କ ଶରୀରରୁ ସ୍ବତନ୍ତ୍ର ମେସିନ୍ ସହାୟତାରେ ରକ୍ତରୁ ପ୍ଲାଜ୍‌ମାକୁ କଢ଼ାଯାଇ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କ ଶରୀରରେ ଏହାକୁ ଦିଆଯାଇଥାଏ। ଫଳରେ ଗୁରୁତର ରୋଗୀଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ, ଯାହାକି କରୋନା ଭୂତାଣୁ ସହ ଲଢ଼ିବାରେ ସାହାଯ୍ୟ କରିଥାଏ।ତେବେ ପ୍ଲାଜମା ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ କରୋନାରୁ ମୁକ୍ତ ହେବାର ୨ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

କେଉଁମାନେ ପ୍ଲାଜମା ଦାନ କରି ପାରିବେ ନାହିଁ ?

କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ୧୪ ଦିନ ପରେ ପ୍ଲାଜମା ଦେଇପାରିବେ। କିନ୍ତୁ ସଂପୃକ୍ତ ବ୍ୟକ୍ତିଙ୍କୁ ୬୦-୬୫ ବର୍ଷରୁ ଅଧିକ ବୟସ ହୋଇ ନ ଥିବ। ସେହିଭଳି ମଧୁମେହ କିମ୍ବା ହାଇପରଟେନସନ ଭଳି ରୋଗ ତାଙ୍କଠାରେ ଅନିୟନ୍ତ୍ରିତ ଅବସ୍ଥାରେ ନଥିବ।ଏଥିସହିତ ସଂପୃକ୍ତ ବ୍ୟକ୍ତିଙ୍କ ଠାରେ ଦୀର୍ଘଦିନ ଧରି କିଡନି, ହାର୍ଟ, ଲଙ୍ଗ୍ ଏବଂ ଲିଭରଜନିତ ରୋଗ ମଧ୍ୟ ନ ଥିବା ଆବଶ୍ୟକ ବୋଲି ଡା. ସରିନ କହିଛନ୍ତି। କେବଳ ସେତିକି ନୁହେଁ, ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କ ପୌଷ୍ଟିକତତ୍ତ୍ବ ଭଲ ଥିବା ସହିତ ତାଙ୍କର ଓଜନ ୫୦ କିଗ୍ରାରୁ ଅଧିକ ହୋଇଥିବା ଆବଶ୍ୟକ।ସେହିଭଳି ‌ହେମୋଗ୍ଲୋବିନ୍ ସ୍ତର ମଧ୍ୟ ୮ରୁ ଅଧିକ ରହିଥିବା ଉଚିତ। ମହିଳାଙ୍କ ଦୃଷ୍ଟିରୁ ଦେଖିଲେ ସେମାନେ କଦାପି ଗର୍ଭବତୀ ହୋଇ ନ ଥିବା ଆବଶ୍ୟକ ‌ଓ ସେମାନଙ୍କ ଆଣ୍ଟିବଡିସ୍ତର ମଧ୍ୟ ଭଲ ଥିବା ଉଚିତ। ଏହି ଥେରାପିର ଏକ ଭଲଦିଗ ହେଲା ରକ୍ତର ଗୋଟିଏ ଉପାଦାନକୁ ପ୍ରଦାନକାରୀଙ୍କୁ ଦେବାକୁ ପଡ଼ିଥାଏ।

୧୫ ଦିନ ପରେ ଦ୍ବିତୀୟ ଥର ପାଇଁ ମଧ୍ୟ ସଂପୃକ୍ତ ବ୍ୟକ୍ତି ଏହାକୁ ଦାନ କରିପାରିବା ସୁଯୋଗ ରହିଛି।

ଗର୍ଭବତୀ ହୋଇଥିବା ମହିଳା ପ୍ଲାଜମା ଦାନ ନ କରି ପାରିବାର କାରଣ ହେଉଛି , ଗୋଟିଏ ଶିଶୁର ଦେହରେ ଉଭୟ ବାପା ଓ ମାଆଙ୍କ ଜିନୀୟ ଉପାଦାନ ରହିଥାଏ। ତେଣୁ ଜଣେ ମହିଳା ଯେତେବେଳେ ଗର୍ଭବତୀ ହୁଅନ୍ତି ସେତେବେ‌ଳେ ତାଙ୍କଠାରେସ୍ବାମୀଙ୍କ ଜୀନୀୟ ଉପାଦାନ (ହ୍ୟୁମାନ ଲ୍ୟୁକୋସାଇଟ୍ ଆଣ୍ଟିଜେନ୍‌) ବିରୋଧରେ ଆଣ୍ଟିବଡିର ବିକାଶ ହୋଇଥାଏ। ତେଣୁ ରକ୍ତଦାନବେଳେ ଏଚଏଲଏ ଆଣ୍ଟିବଡି ଫୁସଫୁସ ନଷ୍ଟ ଭଳି କେତେକ ସମସ୍ୟା ସୃଷ୍ଟି କରିଥାଏ। କୋଭିଡ-୧୯ ରୋଗୀଙ୍କ ଫୁସଫୁସ୍ ପୂର୍ବରୁ ଦୁର୍ବଳ ହୋଇସାରିଥିବାରୁ ଗର୍ଭବତୀ ମହିଳାଙ୍କ ପ୍ଲାଜମା ନେଲେଏହା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥାଏ। ତେଣୁ ଗର୍ଭବତୀ ମହିଳାଙ୍କଠାରୁ ପ୍ଲାଜମା ନିଆଯାଇ ନଥାଏ ।