ଫିଟିବ ଜାତୀୟ ଜଳପଥ, ରାଜ୍ୟରେ ଶିଳ୍ପ ଓ ଖଣିଜ ଜନିତ ପରିବହନ କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ

ଖଣିଜ ବହୁଳ ତାଳଚେର ଓ ଅନୁଗୁଳରୁ ଶିଳ୍ପ ହବ୍‌ କଳିଙ୍ଗନଗର ଏବଂ ବନ୍ଦର ନଗରୀ ପାରାଦୀପ ଏବଂ ଧାମରାକୁ ସଂଯୋଗ କରିବ ଏନଡବ୍ଲ୍ୟୁ-୫ (ଜାତୀୟ ଜଳପଥ-୫) । ଏହି ଜଳପଥ ସଂଯୋଗ ହେଲେ ରାଜ୍ୟରେ ଶିଳ୍ପ ଓ ଖଣିଜ ଜନିତ ପରିବହନ କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ । ପରିବହନ ଖର୍ଚ୍ଚ ଶସ୍ତା ହେବା ସହ ପ୍ରଦୂଷଣ କମିବ । ସଡ଼କରେ ଟ୍ରାଫିକ ଭିଡ଼ କମିବା ସହ ଦୁର୍ଘଟଣା ହ୍ରାସ ପାଇବ । ଏଥିପାଇଁ ତଳମୁଣ୍ଡରେ ବିଭିନ୍ନ ବ୍ୟାରେଜ, ଲକ୍‌ ଗେଟ ନିର୍ମାଣ କରିବାକୁ ପଡ଼ିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ପାରାଦୀପ, ଧାମରା ଏବଂ ତାଳଚେର ମଧ୍ୟରେ ୩୩୨ କିମି ବିଶିଷ୍ଟ ୫ନଂ ଜାତୀୟ ଜଳପଥ ସଂଯୋଗ କରିବ । ଏଥିରୁ ପ୍ରଥମେ ତାଳଚେରରୁ ଯାଜପୁର କଳିଙ୍ଗନଗରଢେଙ୍କାନାଳ ସୀମା ପଙ୍କପାଳ (ସମଲ ବ୍ୟାରେଜର ତଳ ମୁଣ୍ଡ) ଯାଏଁ ବ୍ରାହ୍ମଣୀ ନଦୀରେ ଜଳପଥ ସଂଯୋଗ ହେବ । ପଙ୍କପାଳରୁ କେନ୍ଦ୍ରାପଡ଼ାର ମଙ୍ଗଳାଗଡ଼ି, ମଙ୍ଗଳାଗଡ଼ିରୁ ଧାମରା ଏବଂ ଧାମରାରୁ ପାରାଦୀପ ଯାଏଁ ୫ ନମ୍ବର ଜାତୀୟ ଜଳପଥ ସଂଯୋଗ କରିବ ।ସେହିପରି ପରବର୍ତ୍ତୀ ସମୟରେ ଧାମରା ବନ୍ଦରରୁ ପଶ୍ଚିମବଙ୍ଗର ଗୋଏଙ୍ଖାଲିକୁ ଲମ୍ବିବ ୫ ନଂ ଜାତୀୟ ଜଳପଥ । ମୁଖ୍ୟତଃ ବ୍ରାହ୍ମଣୀ, ଖରସ୍ରୋତା, ମହାନଦୀ-ବ୍ରାହ୍ମଣୀ ଡେଲଟା, ଇଷ୍ଟ କୋଷ୍ଟ କେନାଲ ଦେଇଏହି ଜଳପଥ ଯିବ । ଏ ପ୍ରକଳ୍ପରେ ପ୍ରାୟ ୧୨ ହଜାର କୋଟିରୁ ଅଧିକ ଖର୍ଚ୍ଚ ଆକଳନ କରାଯାଇଛି । କେବଳ କୋଇଲା ନୁହେଁ, ଏ ରୁଟରେ ଛୋଟ ଜାହାଜ (ବାର୍ଜ) ଚାଲିଲେ କୋଇଲା ସହ ବିଭିନ୍ନ ଖଣିଜ ପଦାର୍ଥ, ଉତ୍ପାଦିତ ସାମଗ୍ରୀ, ତୈଳ ଆଦି ପରିବହନ କରିବା ସହଜ ହେବ । ଏହାଦ୍ୱାରା ଖର୍ଚ୍ଚ ଢେର ଗୁଣା କମିବ । କାରଣ ଗୋଟିଏ ଟ୍ରକରେ ଯେତିକି ମାଲ୍‌ ପରିବହନ ହୋଇଥାଏ, ଜାହାଜରେ ତା’ ତୁଳନାରେ ୧୫୦ ଗୁଣା ଅଧିକ ମାଲ ପରିବହନ କରିହେବ । ଖଣି ଅଞ୍ଚଳରୁ ଶିଳ୍ପାଞ୍ଚଳ ଓ ବନ୍ଦରକୁ ସିଧା ଯୋଗାଯୋଗ କରିହେବ । ଏହି ଜାହାଜ ଚଳାଚଳ ପାଇଁ ୩ରୁ ସାଢ଼େ ୩ ମିଟର ଗଭୀର ପାଣି ରହିବା ଆବଶ୍ୟକ । ଏଥିପାଇଁ କେନାଲ ଖୋଳିବାକୁ ହେବ । ନଦୀ ଶଯ୍ୟା ଖନନ ସହ ବିଭିନ୍ନ ସ୍ଥାନରେ ବନ୍ଧ ବାନ୍ଧି ପାଣି ସଂରକ୍ଷିତ ରଖିବାକୁ ପଡ଼ିବ । କେରଳରେ ଜଳପଥର ବହୁଳ ବ୍ୟବହାର ହେଉଥିବାବେଳେ ଏବେ ଉତ୍ତରପ୍ରଦେଶରେ ମଧ୍ୟ ଏହାର ବ୍ୟବହାର ବଢ଼ିଛି । ଓଡ଼ିଶାରେ ମଧ୍ୟ ଏହା ଆଗାମୀଦିନରେ ସର୍ବଶ୍ରେଷ୍ଠ ପରିବହନ ମାର୍ଗ ହୋଇପାରିବ ।