ଫିଲ୍ମ ନିର୍ମାତା ରାଜ କୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ 

‘ଘାତକ’ ଏବଂ ‘ଘାୟଲ’ ଭଳି ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଥିବା ଜଣାଶୁଣା ବଲିଉଡ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଶନିବାର ଜାମନଗର କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ ୨ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜକୁମାର ସନ୍ତୋଷୀଙ୍କୁ ଚେକ୍ ବାଉଁସ ମାମଲାରେ ଆଜି ଜାମନଗର କୋର୍ଟ ଶନିବାର ଏହି ଦଣ୍ଡାଦେଶ ଦେଇଛନ୍ତି । ରାଜକୁମାର ସନ୍ତୋଷୀ ଜାମନଗରର ବ୍ୟବସାୟୀ ଅଶୋକଲାଲଙ୍କ ଠାରୁ ୧ କୋଟି ଟଙ୍କା ଋଣ ନେବା ପରେ ଟଙ୍କା ଫେରସ୍ତ କରିନଥିଲେ । ଏହାପରେ ଅଶୋକଲାଲ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଜାମନଗର କୋର୍ଟ ଆଜି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ।ଏହି ସମଗ୍ର ବିଷୟ ୨୦୧୫ ବର୍ଷର ଅଟେ ।

୨୦୧୯ ମସିହାରେ ଜାମନଗର କୋର୍ଟ ରାଜକୁମାରଙ୍କୁ ଶୁଣାଣି ପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ସେ କୋର୍ଟରେ ହାଜର ହୋଇଥିଲେ। ଏହା ପରେ ଅଶୋକଲାଲଙ୍କ ଓକିଲ କହିଥିଲେ ରାଜକୁମାର ଏବଂ ଅଶୋକଲାଲ ବହୁତ ଭଲ ବନ୍ଧୁ। ୨୦୧୫ରେ ଅଶୋକଲାଲ ତାଙ୍କୁ ଏକ କୋଟି ଟଙ୍କା ଋଣ ଦେଇଥିଲେ। ଏହି ଋଣ ପରିଶୋଧ କରିବାକୁ, ରାଜକୁମାର ତାଙ୍କୁ ୧୦ ଲକ୍ଷ ଟଙ୍କାର ୧୦ ଚେକ ଦେଇଥିଲେ କିନ୍ତୁ ଏହି ଚେକ ଡିସେମ୍ବର ୨୦୧୬ରେ ବାଉନ୍ସ ହୋଇଥିଲା ।ଏହା ଉପରେ ଅଶୋକଲାଲ ଏନେଇ ରାଜକୁମାରଙ୍କ ସହ ଯୋଗାଯୋଗ କରିଥିଲେ । ତେବେ ଦୁହିଁଙ୍କ ମଧ୍ୟରେ କୌଣସି ଯୋଗାଯୋଗ ନହେବା ପରେ ଜାମନଗର କୋର୍ଟରେ ମାମଲା ରୁଜୁ କରିଥିଲେ ।