ବଢ଼ିଲା ୬ ଟି ଫସଲର ସହାୟକ ମୂଲ୍ୟ
ଦିପାବଳୀ ପୂର୍ବରୁ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି । କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ୨୦୨୬-୨୭ ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି।ସରକାର ୮୪,୨୬୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ୟାକେଜ ୬ ବର୍ଷ ପାଇଁ ସ୍ଥିର କରାଯାଇଛି । କେନ୍ଦ୍ର ମନ୍ତ୍ରିମଣ୍ଡଳ ୨୦୨୬-୨୭ ପାଇଁ ଗହମ ମୂଲ୍ୟରେ ୬.୫୯ ପ୍ରତିଶତ ବୃଦ୍ଧି କରି କୁଇଣ୍ଟାଲ ପ୍ରତି ୨୫୮୫ ଟଙ୍କା କରିଛନ୍ତି । ଅର୍ଥାତ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଗହମ କୁଇଣ୍ଟାଲ ପ୍ରତି ୧୬୦ ଟଙ୍କା ବୃଦ୍ଧି ପାଇଛି ।
ସେହିଭଳି ଡାଲି ଫସଲର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଫୋକସ୍ କରିଛନ୍ତି । ଏନେଇ ସରକାର ୧୧,୪୪୦ କୋଟି ଟଙ୍କାର ପ୍ୟାକେଜ କରିଛନ୍ତି । ପ୍ରତିବର୍ଷ ୩୫୦ ଲକ୍ଷ ମାଟ୍ରିକ୍ ଟନ୍ ଡାଲି ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହ ଡାଲି ଜାତୀୟ ଫସଲରୁ ୧୦୦ ପ୍ରତିଶତ ସରକାର କିଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ୨୦୩୦-୩୧ ସୁଦ୍ଧା, ମିଶନ ଡାଲି ଅନ୍ତର୍ଗତ କ୍ଷେତ୍ରକୁ ୩୧୦ ଲକ୍ଷ ହେକ୍ଟରକୁ ବିସ୍ତାର କରିବା, ଉତ୍ପାଦନ ୩୫୦ ଲକ୍ଷ ଟନକୁ ବୃଦ୍ଧି କରିବା ଏବଂ ଅମଳ ୧୧୩୦ କିଲୋଗ୍ରାମ/ହେକ୍ଟରକୁ ବୃଦ୍ଧି କରିବା ଆଶା କରାଯାଉଛି। ଉତ୍ପାଦକତା ବୃଦ୍ଧି ସହିତ, ମିଶନ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୃଷ୍ଟି କରିବ।
