ବଢିଲା ପୂଜା ଖେଡକରଙ୍କ ଅଡୁଆ । ପୂଜାଙ୍କ ବିରୋଧରେ ଏଫଆଇଆର୍ ଦେଲା ୟୁପିଏସସି । 

ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ ମାମଲା ରୁଜୁ କରିଛି।ଏଥିସହ ସିଭିଲ୍ ସର୍ଭିସ୍ ପରୀକ୍ଷାରୁ ତାଙ୍କୁ କାହିଁକି ରଦ୍ଦ କରାଯିବନି ସେନେଇ କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଯାଇଛି ।ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ଆଇଏଏସ୍ ଅଧିକାରୀ ପୂଜାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି । ଜାଲ କାଗଜପତ୍ର, ଧୋକା, ଆଇଟି ଆକ୍ଟ ଏବଂ ଦିବ୍ୟାଙ୍ଗତା ଅଧିନିୟମ ଧାରାରେ ତାଙ୍କ ବିରୋଧରେ ମାମଲା ରୁଜୁ ହେଇଛି ।

ଅନ୍ୟପଟେ ୟୁପିଏସସି ନୋଟିସ୍ ଜାରି କରି ପୂଜା ଖେଡକରଙ୍କଠାରୁ ଜବାବ ମାଗିଛି । ତାଙ୍କ ପ୍ରାର୍ଥିତ୍ୱକୁ କାହିଁକି ରଦ୍ଦ କରାଯିବନି ସେନେଇ ଉତ୍ତର ରଖିବାକୁ କୁହାଯାଇଛି । ୟୁପିଏସସି ତରଫରୁ କୁହାଯାଇଛି ଯେ, ପୂଜା ଖେଡକରଙ୍କ ବିରୋଧରେ ବିସ୍ତୃତ ଯାଞ୍ଚ କରାଯାଇଛି । ଯେଉଁଥିରେ ଜଣାପଡିଛି ଯେ, ସେ ସିଭିଲି ସର୍ଭିସ୍ ପରୀକ୍ଷା ୨୦୨୨ରେ ନିୟମର ଉଲ୍ଲଙ୍ଘନ କରିଛନ୍ତି । ଜାଲ କାଗଜପତ୍ର ସାହାଯ୍ୟରେ ସେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଛନ୍ତି । ଏମିତି କି ସେ ତାଙ୍କ ନାମ, ବାପାଙ୍କ ନାମ, ମାଆଙ୍କ ନାମ, ଫଟୋ ଏବଂ ଦସ୍ତଖତ ମଧ୍ୟ ବଦଳେଇ ଦେଇଛନ୍ତି । ମିଛ ପରିଚୟ ଦେଇ ସେ ଅଧିକ ଥର ପରୀକ୍ଷାରେ ବସିଛନ୍ତି ବୋଲି ୟୁପିଏସସି ତରଫରୁ କୁହାଯାଇଛି । ଏହି କାରଣରୁ ୟୁପିଏସସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି, ଯେଉଁଥିରେ ପୁଲିସ ପ୍ରାର୍ଥୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏହା ସହ ସିଭିଲ ସର୍ଭିସ ପରୀକ୍ଷାରେ ତାଙ୍କର ପ୍ରାର୍ଥିପତ୍ର ରଦ୍ଦ କରିବା ପାଇଁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି ।