ବନମାଳୀ ବାରିକି ମହାବିଦ୍ୟାଳୟରେ କବିତା ଲିଖନ କର୍ମଶାଳା
ଗଣିଆ (ବିସ୍ୱରଞ୍ଜନ ସେଠି)ଗଣିଆ ବ୍ଲକ ଅନ୍ତର୍ଗତ ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଡକଟାରେ ସୋମବାର ଦିନ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଏକ କବିତା ଲିଖନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ତ୍ରୈମାସିକ ସାହିତ୍ୟ ପତ୍ରିକା “ଅକ୍ଷ” ତରଫରୁ ଆୟୋଜିତ କର୍ମଶାଳାରେ ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା ଅଧ୍ୟକ୍ଷତା କରିବା ସହ କର୍ମଶାଳାର ଆଭିମୁଖ୍ୟ ପ୍ରକାଶ କରି ଏହା ଛାତ୍ର ଛାତ୍ରୀଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଶୁଭାଶିଷ ସାହୁ ପରିଚୟ ପ୍ରଦାନ କରିଥିଲେ ।କର୍ମଶାଳାରେ କବି ପଞ୍ଚାନନ ବେହେରା ଭଜନ, ଜଣାଣ, ପ୍ରାର୍ଥନା ଆଦି ଭକ୍ତି ସାହିତ୍ୟ, କବି ବିଘ୍ନେଶ୍ୱର ବେହେରା ଶିଶୁ କବିତା, କବି ହାଡିବନ୍ଧୁ ମହାକୁଡ଼ ଗିତୀ କବିତା ଓ ଅଧ୍ୟାପକ ସରୋଜ କୁମାର ପଣ୍ଡା ଆଧୁନିକ କବିତା ଉପରେ ଆଲୋଚନା ତଥା ଲିଖନ ପ୍ରଣାଳୀ ଶିଖାଇଥିଲେ ।

କର୍ମଶାଳା ଶେଷ ସୋପାନରେ ଛାତ୍ର ଛାତ୍ରୀ ମାନେ ପ୍ରଦତ୍ତ ବିଷୟ ବସ୍ତୁ ଉପରେ କବିତାମାନ ଲେଖିଥିଲେ । ଠିକ୍ ସେପରି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦତ୍ତ ଶବ୍ଦ ସମୂହକୁ ନେଇ ପ୍ରଶିକ୍ଷକ ମାନେ ମଧ୍ୟ କବିତା ରଚନା କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ଅଧ୍ୟାପକ ଦୁର୍ଯୋଧନ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।
