ବରଗଡ଼ ଧନୁଯାତ୍ରା: କଂସ ଲବି ଆରମ୍ଭ
ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ତାରିଖରେ ଆରମ୍ଭ ହେବ।ତେବେ ଏଥର କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ହେଉଛି। ଗତ ୧ତାରିଖ ଆଶାୟୀଙ୍କ ଆବେଦନ ସରିଯାଇଛି। ତେବେ ଏପର୍ଯ୍ୟନ୍ତ ଚୟନ ତାରିଖ ତ ଘୋଷଣା ହେବା ଦୂରର କଥା, ଆବେଦନ ଫର୍ମର ଯାଞ୍ଚ ସରି ନାହିଁ। ତାହା ଯାଞ୍ଚ ହେବା ପରେ ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଯୋଗ୍ୟ କଳାକାରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।ତେବେ କଂସ ଚରିତ୍ର ପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ନୂଆଁ, ପୁରୁଣା କଳାକାର ରହିଛନ୍ତି। ଅନେକ ସ୍ଥାନରେ ଧନୁଯାତ୍ରା ହେଉଥିଲେ ସୁଦ୍ଧା ବରଗଡ଼ ଧନୁଯାତ୍ରା ମହୋତ୍ସବର ଯେଭଳି ଏକ ଅନନ୍ୟ ପରିଚୟ ଏବଂ ଆକର୍ଷଣ ରହିଛି, ଅନୁରୂପଭାବେ ଏହି ମହୋତ୍ସବରେ ଥରୁଟିଏ ଯେଉଁ କଳାକାର କଂସ ଅଭିନୟର ସୁଯୋଗ ପାଇଥାନ୍ତି, କଳା ଜଗତରେ ପୂର୍ବାପେକ୍ଷା ସେମାନଙ୍କର ସମ୍ମାନ ବଢ଼ିବା ସହିତ ତାଙ୍କୁ ମଧ୍ୟ ବରଗଡ଼ ଧନୁଯାତ୍ରାର କଂସ ମହାରାଜଭାବେ ଏକ ନୂଆଁ ପରିଚୟ ମିଳିଥାଏ। ଫଳରେ ଏଠାରେ କଂସ ଅଭିନୟ ପାଇଁ ଅନେକ କଳାକାର ମନରେ ଆଶା ବାନ୍ଧିଥାନ୍ତି ଏବଂ ଚୟନ ପ୍ରକ୍ରିୟାରେ ବିଚାରକବୃନ୍ଦ ଯାହାଙ୍କୁ ମନୋନୀତ କରନ୍ତି, ସେ ହିଁ କଂସ ଅଭିନୟର ସୁଯୋଗ ପାଇଥାନ୍ତି। ଗତ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ତାଙ୍କ ପୂର୍ବ ଘୋଷଣା ଅନୁଯାୟୀ ଏଥର ଚୟନ ପ୍ରକ୍ରିୟାରେ ଭାଗ ନେଉ ନାହାନ୍ତି। ଅନ୍ୟପଟେ ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ମୃତକଙ୍କ ସମ୍ପର୍କୀୟଙ୍କୁ ଟଙ୍କା ଦାବି ଅଭିଯୋଗ ପରେ ଗତ ଧନୁଯାତ୍ରା ମହୋତ୍ସବରେ ଅଭିନୟରୁ ବଞ୍ଚିତ ହୋଇଥିବା ହୃଷିକେଶ ଭୋଇ(ଜିଲା ସ୍ବାସ୍ଥ୍ୟ ବିଭାଗର ଡ୍ରାଇଭର) ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଆବେଦନ ଫର୍ମ ଭରିଛନ୍ତି। କିନ୍ତୁ ତାଙ୍କ ବିରୋଧରେ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ଜିଲାପାଳଙ୍କୁ ଫେରାଦ ହେବା ହୃଷିକେଶଙ୍କ ପାଇଁ ଅଡୁଆ ସାଜିଛି। କୋର୍ଟରେ ତାଙ୍କ ବିରୋଧରେ ମାମଲା ବିଚାରାଧିନ ରହିଛି ଏବଂ ସେ ଦୋଷମୁକ୍ତ ହୋଇ ନଥିବା ଅଭିଯୋଗ କରି ତାଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ ନ କରିବାକୁ ସଂଘ ଜିଲାପାଳଙ୍କଠାରେ ଦାବି କରିଛି। କଂସ ଅଭିନୟ ପାଇଁ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଆର୍ତ୍ତତ୍ରାଣ ସୁନାନୀ ଯାଦବ, ସୋନପୁର ଜିଲା ବିନିକାର ଗୋପାଳ ପଣ୍ଡା, ବରଗଡ଼ ଜିଲା ଭେଡ଼େନ ବ୍ଲକ ଚିଚିଣ୍ଡାର ସୁଶିଲ ମେହେର, ବରଗଡ଼ ବ୍ଲକ ଦେଓଗାଁର ଜଗଦାନନ୍ଦ ମିଶ୍ର, ସୋନପୁର ଜିଲା ସାରସମାଲର ମନୋରଞ୍ଜନ ଚିରଗୁଣଙ୍କ ସମେତ ଅନେକ କଳକାର କଂସ ଅଭିନୟ ପାଇଁ ଆବେଦନ କରିଛନ୍ତି। ଏହା ସହିତ ଉଗ୍ରସେନ, ମହାମନ୍ତ୍ରୀ ସାର୍ତ୍ତକୀ, ଚାଣୁର, ମୁଷ୍ଟିକ, ଅକ୍ରୂର,ବାସୁଦେବ, ଦେବକୀ, ନାରଦ, ସେନାପତି ଚରିତ୍ର ପାଇଁ ମଧ୍ୟ ଅନେକ କଳାକାର ଆବେଦନ କରିଛନ୍ତି।
