ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼।

ରବିବାର ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇର ବାନ୍ଦ୍ରାରେ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ। ପୁଲିସ ଅଧିକାରୀଙ୍କ କହିବାନୁସାରେ, ୩ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ ସୁପରଷ୍ଟାରଙ୍କ ଘର ଉପରେ ଆକ୍ରମଣ ପ୍ରଶଂସକଙ୍କ ଚିନ୍ତା ଦ୍ୱିଗୁଣିତ କରିଥିଲା। ଏମିତିରେ ସେ କାହା ଟାର୍ଗେଟରେ ତାହାକୁ ନେଇ ପୋଲିସ ସିସିଟିଭି ଆଧାରରେ ଖୋଳତାଡ଼ ଆରମ୍ଭ କରିଛି।ବିଗତ କିଛି ବର୍ଷର ଘଟଣାବଳୀକୁ ଦେଖିଲେ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ରହି ଆସିଛନ୍ତି ସଲମାନ।

ଲରେନ୍ସ ବିଶ୍ନୋଇ ଏବଂ ଭାରତ-କାନାଡ଼ାର ଓ୍ବାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ଗୋଲ୍ଡି ଅନେକ ଥର ସଲମାନଙ୍କୁ ମାରିବାକୁ ଘୋଷଣା କରିଛନ୍ତି। ଅନେକ ଥର ଏଥିଲାଗି ନିଜର ଶୁଟର୍‌ ମଧ୍ୟ ସେମାନେ ପଠାଇଥିଲେ। ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ଅଭିନେତାଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।