ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଆସନ୍ତାକାଲି ଓଡ଼ିଶାକୁ ସେଂଟ୍ରାଲ ଟିମ୍‌ ଆସିବେ। 

ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଆସନ୍ତାକାଲି ଓଡ଼ିଶାକୁ ସେଂଟ୍ରାଲ ଟିମ୍‌ ଆସିବେ। ଏହି ଟିମ୍‌ର ସଦସ୍ୟମାନେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ପୁରୀ ଜିଲ୍ଲାର ପିପିଲି ଅଂଚଳ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ନିଆଯାଇଥିବା ପଦକ୍ଷେପ ନେଇ ସେଣ୍ଟ୍ରାଲ ଟିମକୁ ଅବଗତ କରାଯାଇଛି ।

କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ ପରେ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଛି । ଏହା ସହ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି। କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା କଣ୍ଟାକ୍ଟରେ ଆସୁଥିବା ଲୋକ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବାର୍ଡ ଫ୍ଲୁ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏହାର ନିୟନ୍ତ୍ରଣ ପାଇଁ ଏକାଧିକ ବିଭାଗର ସହାୟତା ଲୋଡ଼ା ଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ମେଡିକାଲ କଲେଜରେ ଥିବା କମ୍ୟୁନିଟି ମେଡିସିନ୍‌ ବିଭାଗକୁ ଏହା ସହ ଯୋଡ଼ା ଯାଇଛି। କମ୍ୟୁନିଟି ମେଡିସିନ୍ ବିଭାଗ ଏହାର ସଂପୂର୍ଣ୍ଣ ତଦାରଖ କରିବ। ଏହି ରୋଗ ପ୍ରଥମେ ଜ୍ବରରୁ ଆରମ୍ଭ ହୋଇଥାଏ। ସେଥିପାଇଁ ଆଇଡିଏସ୍‌ପି ଅନୁଯାୟୀ ଫିଭର ସର୍ଭେଲାନ୍‌ସ କରାଯାଉଛି। ନମୁନା ପରୀକ୍ଷା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରୀୟ ଟିମ୍‌ ଘଟଣାସ୍ଥଳକୁ ଘନ ଘନ ଗସ୍ତ କରୁଛନ୍ତି।