ବିଏସଏଫରେ ଯୋଗଦେବେ ରୋଜାଲିନ୍ , ସମ୍ବର୍ଦ୍ଧିତ କଲେ ନିଖିଳ ଉତ୍କଳ ତଅଁଳା ଚାରି ରାଜ୍ୟ ସମାଜ
ଗଣିଆ,(ବିଶ୍ୱରଂଜନ ସେଠି) ନୟାଗଡ଼ ଜିଲା ଗଣିଆ ବ୍ଳକର ପ୍ରଥମ ମହିଳା ବିଏସଏଫଭାବେ ଯୋଗଦାନ କରିବେ ରୋଜାଲିନ୍ । ଗଣିଆ ଗ୍ରାମର ପରିକ୍ଷିତ ବେହେରାଙ୍କ ଝିଅ ରୋଜାଲିନ ବେହେରା (୨୨) ନିଜର କଠିନ ପରିଶ୍ରମ ଓ ଦୃଢଇଚ୍ଛାଶକ୍ତି ଆଗରେ ହାର ମାନିଛି ଆର୍ଥିକ ପରିସ୍ଥିତି ସମେତ ବହୁ ବାଧାବିଘ୍ନ ଓ ନିଜର ଚେଷ୍ଟାବଳରେ ସେ ଆଜି ଭାରତ ମାତାର ସେବା କରିବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସଏଫ)ରେ ଚୟନ ହୋଇ ସମଗ୍ର ଗଣିଆ ବ୍ଳକ ପାଇଁ ଗୌରବ ଆଣି ଦେଇଛନ୍ତି । ସେଥିପାଇଁ ନିଖିଳ ଉତ୍କଳ ତଅଁଳା ସମାଜ ର ଚାରିରାଜ୍ୟ ତରଫରୁ ଚାରିରାଜ୍ୟ ସଭାପତି ତ୍ରିଲୋଚନ ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଉପଦେଷ୍ଟା ଅଶୋକ କୁମାର ବେହେରା, ଗଣିଆ ସର୍କଲ ସଭାପତି ଉପେନ୍ଦ୍ର ବେହେରା, ସଭ୍ୟ ହରିହର ଖମାରି, ଖଲେଶ୍ଵର ବେହେରା, ବାନାମ୍ବର ବେହେରା ଯୋଗିନାଥ ବେହେରା ରବୀନ୍ଦ୍ର ବେହେରା ଗଜେନ୍ଦ୍ର ବେହେରା ପୀତବାସ ବେହେରା ଓ ଗୋପାଳ ବେହେରା ପ୍ରମୁଖ ରୋଜାଲିନଙ୍କୁ ମିଠା ଖୁଆଇବା ପରେ ପୁଷ୍ପଗୁଚ୍ଛ , ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟରେ +୩ ପାଠ ପଢିସାରିବା ପରେ ବିଏସଏଫ ପାଇଁ ଚେଷ୍ଟା ଜାରି ରଖିଥିଲେ ।

ଘରର ଅଭାବ ଅସୁବିଧାଠାରୁ ଆରମ୍ଭ କରି ଲୋକଙ୍କ ଟାହିଟାପରା ପର୍ଯ୍ୟନ୍ତ କୌଣସି କଥାକୁ ଖାତିର ନକରି ଦିନରାତି ଏକ କରି ବିଏସଏଫ ପାଇଁ ଚେଷ୍ଟା ଜାରି ରଖିଥିଲେ । ଭଗବାନଙ୍କ ଆଶୀର୍ବାଦ ଯୋଗୁ ସେ ଏହି ଚାକିରୀ ପାଇଥିବା ବେଳେ ବାପାମାଙ୍କ ଆଶୀର୍ବାଦ ପାଇଁ ସେ ଆଜି ଏହି ଜାଗାରେ ପଂହଚିଥିବା କହିଛନ୍ତି । ବାପା ଜଣେ ଅଟୋ ଡ୍ରାଇଭର ହୋଇଥିଲେ ମଧ୍ୟ ପିଲାମାନଙ୍କ ପାଠପଢାଠାରୁ ଆରମ୍ଭ କରି ବିଏସଏଫରେ ଯୋଗଦାନ କରିବାକୁ ପ୍ରସ୍ତୁତି ପାଇଁ ଦରକାର ହେଉଥିବା ବିଭିନ୍ନ ବ୍ୟାୟାମ ଉପକରଣମାନ ଯୋଗାଇ ଦେବା ସହିତ ଭାରତ ମାତାର ସେବା କରିବାକୁ ଉତ୍ସାହିତ କରୁଥିଲେ । ବର୍ତମାନ ସେ ପଂଜାବରେ ଟ୍ରେନିଂରେ ଯୋଗଦେଇଥିବା କହିଛନ୍ତି । ଆଗାମୀ ଦିନରେ ସେ ନିଜର କର୍ତବ୍ୟକୁ ସୁଚାରୁ ରୂପେ ପାଳନ କରି ନିଜ ଗାଁ ଜିଲା ରାଜ୍ୟ ଓ ସମଗ୍ର ଭାରତବର୍ଷର ନାଁ ରଖିବେ ବୋଲି ଅଂଚଳବାସୀ ଆଶା ପ୍ରକଟ କରିଛନ୍ତି ।
