ବିକଟାଳ ଶବ୍ଦରେ ଥରିଲା ଓ୍ୱାୟନାଡ,ପ୍ରଶାସନକୁ ବି ଛନକା ପଶିଛି ।

ଶୁକ୍ରବାର ସକାଳେ କେରଳର ଭୂସ୍ଖଳନ ପ୍ରଭାବିତ ୱାୟନାଡ ଜିଲାର ବିଭିନ୍ନ ସ୍ଥାନରେ ଭୂତଳରୁ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଥିଲା। ଅଧିକାରୀ କହିଛନ୍ତି ଯେ ଅମ୍ବାଲାଭାୟାଲ ଗ୍ରାମ ଏବଂ ଭିଥିରୀ ତାଲୁକର କିଛି ଅଞ୍ଚଳରେ ଏକ ଉଚ୍ଚ ଶବ୍ଦ ଶୁଣାଗଲା। ଏହି ରହସ୍ୟମୟ ଶବ୍ଦ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି । ପ୍ରଶାସନକୁ ବି ଛନକା ପଶିଛି । ଖବର ମୁତାବକ, ଶୁକ୍ରବାର ପୂର୍ବାହ୍ନ ୧୦ଟା ୧୫ରେ ମାଟି ତଳୁ ଭୀଷଣ ଶବ୍ଦ ହୋଇଥିଲା । ଏହା କାନରେ ପଡ଼ିବା ମାତ୍ରେ ସମସ୍ତେ ଡରିଯାଇଥିଲେ । ୱାୟନାଡସ୍ଥିତ ଅମ୍ବାଲାୱାୟଲ ଏବଂ ବ୍ୟଥିରି ଗ୍ରାମରେ ଏହି ଘଟଣା ଘଟିଛି ।

ଏହାପରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଜୁଲାଇ ୩୦ରେ ଆସିଥିବା ଭୂସ୍ଖଳନ ପୂର୍ବରୁ ମଧ୍ୟ ଜୋର୍‌ରେ ଶବ୍ଦ ହୋଇଥିବା ନେଇ କିଛି ଲୋକ କହିଥିଲେ । ଆଇଏଏନଏସ ଅନୁଯାୟୀ, ଘଟଣାର ଅନୁସନ୍ଧାନ ପରେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଏହା ଭୂକମ୍ପ ନୁହେଁ। ଚିନ୍ତା କରିବାର କିଛି ନାହିଁ । କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଭୂକମ୍ପ ହେବାର ସମ୍ଭାବନାକୁ ଏଡ଼ାଇ ଦେଇଛି।ସୁରକ୍ଷା ଦୃଷ୍ଟିକୋଣରୁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଭଳି ଉଦ୍ଧାରକାରୀ ଏଜେନ୍ସି ଆଲର୍ଟ ହୋଇଯାଇଛନ୍ତି ।