ବିଜୟ ମାଲ୍ୟାଙ୍କ ସହ ଭିଡିଓ ଭାଇରାଲ ପରେ ବିବାଦ : ଏବେ ସରକାରଙ୍କୁ କ୍ଷମା ମାଗିଲେ ଲଳିତ ମୋଦି
ଆଇପିଏଲ ସଂସ୍ଥାପକ ଓ ଦୁର୍ନୀତି ଅଭିଯୁକ୍ତ ଲଳିତ ମୋଦି ଭାରତ ସରକାରଙ୍କୁ କ୍ଷମା ମାଗିଛନ୍ତି। ନିକଟରେ ସେ ଲଣ୍ଡନର ଏକ ପାର୍ଟିର ଭିଡିଓ ସେୟାର କରିଥିଲେ। ଏଥିରେ ସେ କିଙ୍ଗଫିସର ଏୟାରଲାଇନ୍ସ ଋଣ ଠକେଇ ଓ ମନିଲଣ୍ଡରିଂ ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କ ସହ ଦେଖିବାକୁ ମିଳିଥିଲେ। ଭିଡିଓରେ ସେ ନିଜେ ଦୁହିଁଙ୍କ ଯୋଡିକୁ ‘ସବୁଠାରୁ ବଡ଼ ପଳାତକ’ ବୋଲି କହିଥିଲେ। ଏହି ଭାଇରାଲ ଭିଡିଓ ପାଇଁ ସେ ଏବେ ଭାରତ ସରକାରଙ୍କୁ କ୍ଷମା ମାଗିଛନ୍ତି। ବିଜୟ ମାଲ୍ୟାଙ୍କ ସହିତ ତାଙ୍କର ଭାଇରାଲ ଭିଡିଓ ଏକ ବଡ଼ ବିବାଦ ସୃଷ୍ଟି କରିଛି, ଏବଂ ସେ ଏବେ ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି।ଲଳିତ ମୋଦି କହିଛନ୍ତି,ଯଦି ମୋ କଥା କାହାକୁ କଷ୍ଟ ଦେଉଛି ତେବେ ଏଥିପାଇଁ ମୁଁ କ୍ଷମା ମାଗୁଛି। ବିଶେଷ ଭାବରେ ଭାରତ ସରକାରଙ୍କୁ କ୍ଷମା ମାଗୁଛି, କାରଣ ସରକାରଙ୍କ ପ୍ରତି ମୋ ମନରେ ବହୁତ ସମ୍ମାନ ରହିଛି। ସେ କହିଛନ୍ତି, ମୁଁ କୌଣସି ଉଦେଶ୍ୟ ରଖି ଏହି ଭିଡିଓ ପୋଷ୍ଟ କରିନି। ମୁଁ ପୁଣିଥରେ ହୃଦୟରୁ କ୍ଷମା ମାଗୁଛି।
