ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା: ଗୃହ ୪ଟା ଯାଏଁ ମୁଲତବି
ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ଵେ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହରେ ନାରାବାଜି କରିଛନ୍ତି। ଏହି କାରଣ ପାଇଁ ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ତେବେ ଗତକାଲି ଅପରାହ୍ଣରେ ଗୃହକାର୍ୟ୍ୟ ସ୍ୱାଭାବିକ ହେବା ପରେ ଆଶା କରାଯାଉଥିଲା ଆଜି ପ୍ରଶ୍ନକାଳ ସ୍ୱାଭାବିକ ହେବ, ହେଲେ ସେମିତି କିଛି ବି ଦେଖିବାକୁ ମିଳିନି । ପୂର୍ବପରି ଆଜି ବି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ଯାହାପରେ ବାଚସ୍ପତି ଗୃହକୁ ମୁଲତବି କରିଛନ୍ତି ।ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା ପରଠାରୁ ବିଜେଡି ବିଧାୟକମାନେ ଫ୍ଲୋରର ମଝିକୁ ଆସି ହୋ ହଲ୍ଲା କରିଥିଲେ ।ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ପ୍ରତିବାଦ କରୁଛି।
