ବିରଳ ପ୍ରଜାତିର କୀଟ ‘ସାବେଲେରିଆ ମିରିଆନ୍ସିସ୍’;ସମୁଦ୍ର ଭିତରେ ତିଆରି କରେ ସିମେଣ୍ଟ ଭଳି ଶକ୍ତ ଘର
ଗଞ୍ଜାମ ଜିଲ୍ଲାର ଗୋପାଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମତ୍ସ୍ୟଜୀବୀଙ୍କ ମାଛ ଜାଲରେ ପଡ଼ିଲା ବିରଳ ପ୍ରଜାତିର କୀଟ ସାବେଲେରିଆ ମିରିଆନ୍ସିସ୍ (Sabellaria miryaensis) । ଏହାକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ଦୀର୍ଘ 35 ବର୍ଷ ପରେ ପୁଣି ଥରେ ଚିହ୍ନଟ କରିଛି । ଏହି କୀଟକୁ ପଲିକିଟ୍ (Polychaete) ବୋଲି କୁହାଯାଏ, ଯାହାକି ପୂର୍ବରୁ 1990 ମସିହାରେ ଆରବ ସାଗରରେ ଦେଖିବାକୁ ମିଳିଥିଲା ।ଏହି ବିରଳ କୀଟଟି ଆକାରରେ ଛୋଟ ହୋଇଥିଲେ ମଧ୍ୟ ଏହାର ସମୁଦ୍ର ମଧ୍ୟରେ ବଡ଼ ଭୂମିକା ରହିଛି । ଏହି ପଲିକିଟ୍ ଶରୀରରୁ ଏକ ପ୍ରକାର ରାସାୟନିକ ପଦାର୍ଥ ନିର୍ଗତ ହୁଏ, ଯାହାକି ସମୁଦ୍ରର ବାଲି ସହିତ ବିଭିନ୍ନ ସାମଗ୍ରୀକୁ ସଂଗ୍ରହ କରି ସିମେଣ୍ଟ ଭଳି ଶକ୍ତ ଘର ତିଆରି କରିପାରନ୍ତି । ଉକ୍ତ ଘର ଭଳି ଗଠନ ମଧ୍ୟରେ ଛୋଟ ମାଛ ସହିତ ବିଭିନ୍ନ କୀଟ ରୁହନ୍ତି । ଯାହା ଫଳରେ ସେମାନଙ୍କୁ ଖାଇବାକୁ ବଡ଼ମାଛ ଆସିଥାନ୍ତି ଏବଂ ମାଛ ଧରିବା ପାଇଁ ଉକ୍ତ ସ୍ଥାନଟି ଅନୁକୂଳ ପାଲଟିଥାଏ । ମୁଖ୍ୟତଃ ଏହି ବିରଳ କୀଟର ରଙ୍ଗ ମାଟିଆ ହୋଇଥିବାବେଳେ ଲମ୍ବ 5 ସେମିରୁ 6 ସେମି ଏବଂ ପ୍ରାୟ 32 ହଳ ଗୋଡ଼ ରହିଛି । ଏହି ପଲିକିଟ ପ୍ରସ୍ତୁତ କରିଥିବା ଶକ୍ତ ଘର ଗୋପାଳପୁରରୁ ଧବଳେଶ୍ବର ପର୍ଯ୍ୟନ୍ତ ପ୍ରାୟ 12ରୁ 15 କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଯେ ଜୀବଟି ମାତ୍ର 6 ସେଣ୍ଟିମିଟର ଲମ୍ବା ହୋଇଥିଲେ ସୁଦ୍ଧା 120 ବର୍ଗ କିଲୋମିଟରର ଏକ ଘର ପରି ଷ୍ଟ୍ରକ୍ଚର ନିର୍ମାଣ କରୁଛି । ଏହି ବିରଳ କୀଟ ସମ୍ପର୍କରେ ମେସ୍କିକୋର ବୈଜ୍ଞାନିକ ୟେସିକା ସାଭେଜ ଲେପେଜଙ୍କ ସହିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ବିଭିନ୍ନ ତଥ୍ୟକୁ ଆଧାର କରି ଏହା ଏକ ବିରଳ ପ୍ରଜାତି ଏବଂ ଏହା ବିଷାକ୍ତ ନୁହଁ ବୋଲି ଜଣାପଡ଼ିଛି ।
