ବିଳମ୍ବରେ ଜଣଶୁଣାଣିକୁ ଆସୁଥିବା ଅଧିକାରୀଙ୍କୁ ପ୍ରବେଶ ଲାଗି ଅନୁମତି ଦେଲେନି ଜିଲ୍ଲାପାଳ

ରାୟଗଡ଼ାଠାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଜିଲ୍ଲାସ୍ତରୀୟ ଅଧିକାରୀ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ପହଞ୍ଚିଥିଲେ । ବିଳମ୍ବରେ ଆସିବାରୁ ଅଭିଯୋଗ ଶୁଣାଣି ଶିବିର ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲାପାଳ ବାରଣ କରିଛନ୍ତି । ଯାହା ପରେ ପ୍ରଶାସନିକ ମହଲରେ ହଲଚଲ ସୃଷ୍ଟି କରିଛି ।ଜିଲ୍ଲାପାଳ ଅଭିଯୋଗ ଶୁଣାଣି କରୁଥିବା ବେଳେ ବାହାରେ ଜିଲ୍ଲା ଅବକାରୀ ଅଧିକ୍ଷକ, ଉପନିବନ୍ଧକ DRCS, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ଼ା ବିଡିଓ, ଜଙ୍ଗଲ ବିଭାଗର ଏସିଏଫ୍, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ ଓ ଅନ୍ୟ କିଛି ଅଧିକାରୀ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା ।ଲୋକଙ୍କ ଅଭିଯୋଗକୁ ସରକାର ପ୍ରାଥମିକତା ଦେଉ ନଥିବା ଏବଂ ଏଥିରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ରହିଥିବାରୁ ଜିଲ୍ଲାପାଳ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଛି ।

ଅଭିଯୋଗ ଶୁଣାଣି ୧ ଘଣ୍ଟାରୁ ଉର୍ଦ୍ଧ୍ୱ ହୋଇଯାଇଥିଲେ ମଧ୍ୟ ଅଧିକାରୀମାନେ ବାହାରେ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଛି । ତେବେ ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ପରେ ସରକାରୀ କର୍ମଚାରୀ ମହଲରେ ଛାନିଆ ପଶିଛି । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବହୁ ଅଭିଯୋଗକାରୀ ସମର୍ଥନ କରିଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ସେହି ଅଧିକାରୀଙ୍କ ବିରୋଧରେ ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।