ବିଶ୍ୱ ଗଣ୍ଡା ଦିବସ: ୨୦୧୬ରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗଣ୍ଡା ଶୂନ୍ୟ
ଆଜି ବିଶ୍ୱ ଗଣ୍ଡା ଦିବସ ।ଗଣ୍ଡା ବଂଶର ସୁରକ୍ଷା ଓ ସଂରକ୍ଷଣ ଲାଗି ୨୦୧୦ ସେପ୍ଟେମ୍ବର ୨୨ ତାରିଖରୁ ଏହି ଦିବସ ସାରା ବିଶ୍ବରେ ପାଳନ କରାଯାଉଛି। ବିଶ୍ୱ ବନ୍ୟପ୍ରାଣୀ ସଂସ୍ଥା(ଡବ୍ଲ୍ୟୁ ଡବ୍ଲ୍ୟୁ ଏଫ୍) ପ୍ରଥମେ ଦକ୍ଷିଣ ଆଫ୍ରିକାରେ ସଚେତନତା ଦିବସ ଭାବେ ଏହି ଦିବସ ପାଳନ କରିଥିଲା। ତେବେ ଭାରତରେ ବହୁ ସଂଖ୍ୟାରେ ଏକ ସିଙ୍ଗ ବିଶିଷ୍ଟ ଗଣ୍ଡା ରହିଛନ୍ତି। ସେମାନଙ୍କର ସଂଖ୍ୟା ୩ ହଜାରରୁ ଅଧିକ ହେବ । ଏହି ଗଣ୍ଡାମାନେ ଆସାମ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଅଧିକ ସଂଖ୍ୟାରେ ରହିଛନ୍ତି। ତେବେ ଆଜି ନନ୍ଦନକାନନର ବିଶ୍ବ ଗଣ୍ଡା ଦିବସ ଏକପ୍ରକାର ଫିକା ପଡ଼ିଯିବ ବୋଲି ଚର୍ଚ୍ଚା ହେଉଛି। ପ୍ରାୟ ୯ ବର୍ଷ ହେଲା ପ୍ରାଣୀ ଉଦ୍ୟାନ ଗଣ୍ଡା ଶୂନ୍ୟ ହୋଇଯାଇଛି । ସେହି ଖୁଆଡ଼ରେ ଏବେ ଗଣ୍ଡା ବଦଳରେ ଜଳହସ୍ତୀଙ୍କୁ ଦେଖିବାକୁ ମିଳୁଛି । କର୍ତ୍ତୃପକ୍ଷ ଗଣ୍ଡା ଆଣିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗଣ୍ଡା ଆସିବାର ପଥ ପରିଷ୍କାର ହୋଇନାହିଁ । ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରାଣୀ ଉଦ୍ୟାନରେସବୁ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ଜୋରସୋର ଚାଲିଛି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପ୍ରାଣୀ ଉଦ୍ୟାନରେ ଗଣ୍ଡାଟିଏ ନଥିବାରୁ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି । ପୂର୍ବରୁ ନନ୍ଦନକାନନକୁ ବାରମ୍ବାର ଗଣ୍ଡା ଅଣାଯାଇଛି। ନନ୍ଦନକାନନ ଇତିହାସରୁ ଜଣାପଡ଼ିଛି ଯେ ୧୯୭୫ ମସିହାରେ ଆସାମରୁ ପ୍ରଥମ ଥର ପାଇଁ ଏକ ମାଈ ଗଣ୍ଡା ନନ୍ଦନକାନନକୁ ଅଣାଯାଇଥିଲା। ଏହାପରେ ୧୯୭୬ ମସିହାରେ ଏପ୍ରିଲ୍ ୮ତାରିଖରେ ଆସାମରୁ ଆଉ ଏକ ମାଈ ଗଣ୍ଡା ଅଣାଯାଇଥିଲା। ଦୁଇ ଦୁଇଟି ମାଈ ଗଣ୍ଡା ଆସିଥିଲେ ହେଁ ଅଣ୍ଡିରା ଗଣ୍ଡା ନଥିବାରୁ ବଂଶ ବିସ୍ତାର ସମ୍ଭବ ହୋଇ ନଥିଲା। ତେଣୁ ୧୯୭୯ ମସିହା ଫେବ୍ରୁଆରି ୨ରେ ଆସାମରୁ ଏକ ଅଣ୍ଡିରା ଗଣ୍ଡା ଏଠାକୁ ଅଣାଯାଇଥିଲା। ଏଥର ଗଣ୍ଡା ବଂଶ ବିସ୍ତାରର ସୁଯୋଗ ସୃଷ୍ଟି ହୋଇଥିଲା। ତେଣୁ ଏହି ଅଣ୍ଡିରା ଗଣ୍ଡାକୁ ‘ନନ୍ଦନ’ ନାଁରେ ନାମକରଣ କରାଯାଇଥିଲା। ମାତ୍ର ଦୁର୍ଭାଗ୍ୟଜନକ ଭାବେ ୧୯୭୫ ମସିହାରେ ଆସିଥିବା ମାଈ ଗଣ୍ଡାଟି ୧୯୯୭ ମସିହା ଏପ୍ରିଲ୍ ୨୨ରେ ମରିଯାଇଥିଲା।
ସେହିଭଳି ୧୯୭୬ ମସିହାରେ ଆସିଥିବା ମାଈ ଗଣ୍ଡା ୨୦୦୭ ମସିହା ମେ ୨୮ରେ ମରିଯାଇଥିଲା। ପେଟରେ ଟ୍ୟୁମର୍ ହୋଇଥିବାରୁ ତା’ର ମୃତ୍ୟୁ ହୋଇଥିଲା। ଦୁଇ ଦୁଇଟି ମାଈ ଗଣ୍ଡାଙ୍କ ମୃତ୍ୟୁ ପରେ ନନ୍ଦନକାନନରେ ଗଣ୍ଡା ବଂଶ ବୃଦ୍ଧି ଆଶା ମଉଳି ଯାଇଥିଲା। ଅଣ୍ଡିରା ଗଣ୍ଡା ନନ୍ଦନ ଏକାକୀ ହୋଇପଡ଼ିଲା। ତା’ ପାଇଁ ମାଈ ସାଥୀଟିଏ ଯୋଗାଡ଼ କରିବା ସମ୍ଭବ ହେଲା ନାହିଁ। ଶେଷରେ ନିଃସଙ୍ଗ ଜୀବନ ଜିଇଁ ଜିଇଁ ନନ୍ଦନ ବୁଢ଼ା ହୋଇଗଲା ଏବଂ ୨୦୧୬ ସେପ୍ଟେମ୍ବର ୨୮ରେ ଆଖି ବୁଜିଦେଲା। ଜୀବଜନ୍ତୁ କଟକଣା ପରେ ଅଦଳ ବଦଳ ପ୍ରକ୍ରିୟାରେ ଗଣ୍ଡା ଆସିବା ସମ୍ଭବ ହୋଇପାରୁନି । ସରକାର ଯଦି ଏଥିପ୍ରତି ଗୁରୁତ୍ୱ ଦିଅନ୍ତି, ତେବେ ଗଣ୍ଡା ଆସିପାରନ୍ତା ବୋଲି ଜଣେ ନନ୍ଦନକାନନ ଅଧିକାରୀ କହିଛନ୍ତି ।
