ଓଡ଼ିଶାର ସାଂସ୍କୃତିକ ଜୀବନ, ଅର୍ଥନୈତିକ ଧାରା ଓ ସାମାଜିକ ଚଳଣି, ସବୁଥିରେ ପଖାଳର ସ୍ଵତନ୍ତ୍ର ସ୍ଥାନ ରହିଛି। ଓଡ଼ିଆ ଜାତିର ପ୍ରିୟ ଦେବତା ଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ସୁବାସିତ ପଖାଳ,ଟଭା ପଖାଳ,ଚିପୁଡା ପଖାଳ,ରାଇ ପଖାଳ, ଘିଅ ପଖାଳ, ଦହି ପଖାଳ ଅର୍ପଣ କରାଯାଏ।ଶ୍ରୀଜଗନ୍ନାଥଙ୍କୁ ଦ୍ବିପହରରେ ଟଭା ପଖାଳ ଲାଗି କରାଯାଏ।
ପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ଅନ୍ନରେ କମଳା ଭଳି ଦେଖାଯାଉଥିବା ଟଭା ସହିତ ଲୁଣ, ଜିରା,ଅଦା ଓ ପାଣି ଦିଆଯାଇ ଟଭା ପଖାଳ ପ୍ରସ୍ତୁତ କରାଯାଏ।ବଡ଼ସିଂହାର ବେଶ ଧୂପରେ ଶ୍ରୀବିଗ୍ରହ ମାନଙ୍କୁ ଅର୍ପଣ କରାଯାଏ ଘିଅ ପଖାଳ।ଓଳିରେ ରଖାଯାଇଥିବା ଅନ୍ନ, ଲୁଣ,ଦହି, ଜିରା, ଅଦାରେ ଘୃତ ମିଶ୍ରିତ ହୋଇ ଘିଅ ପଖାଳ କରାଯାଏ। ମଧ୍ୟାହ୍ନ ଧୂପରେ ସୁବାସିତ ପଖାଳ ମଧ୍ୟ ଲାଗି କରାଯାଏ।ଅନ୍ନରେ ପାଣି ଦେଇ ତହିଁରେ ଭଜା ଜିରା, ଗୋଲମରିଚ, ଲବଙ୍ଗ, ଅଦା ଖଣ୍ଡ, ଲୁଣ ମିଶାଇ ସୁବାସିତ ପଖାଳ ପ୍ରସ୍ତୁତ କରାଯାଏ।ସନ୍ଧ୍ଯାଧୂପରେ ଦହି ପଖାଳ ଅର୍ପଣ କରାଯାଏ।ମାର୍ଗଶିର ମାସ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ଦହି ପଖାଳ ଅର୍ପଣ କରାଯିବାର ଏକ ଅନନ୍ୟ ପରମ୍ପରା ରହିଛି।ଲିଙ୍ଗରାଜ ମନ୍ଦିର ଓ ଚନ୍ଦନେଶ୍ଵର ମନ୍ଦିର, ବଳଦେବଜୀଉଙ୍କ ମନ୍ଦିର, ଡେଲାଙ୍ଗର ବେନୁପଡା ମଠ, କଣିହାଁର ସନେଇ ମଠ,ବିଭିନ୍ନ କୃଷ୍ଣ ମନ୍ଦିର, ଶୈବପୀଠ ଓ ବୈଷ୍ଣବ ଧର୍ମାବଲମ୍ବୀ ମଠମାନଙ୍କରେ ରାତ୍ର ଭୋଗ ଭାବେ ଦହି ପଖାଳ, ଗୁଆ ଘିଅ କଦଳୀ ଭଜା ଅର୍ପଣ କରାଯାଏ।
ତୁଳସୀ କ୍ଷେତ୍ରରେ ବର୍ଷର କେତେକ ନିର୍ଦ୍ଦିଷ୍ଟ ଦିନରେ ପଖାଳ,ବଡ଼ିଚୁରା ଓ ଶାଗଭଜା ଭୋଗ ରୂପେ ଅର୍ପଣ କରାଯାଏ। ଚନ୍ଦନେଶ୍ଵର ମନ୍ଦିରରେ ଗୁଆ ଘିଅରେ ଭଜା ହୋଇଥିବା କଞ୍ଚା କଦଳୀ ସହିତ ଆମ୍ବକଷିଆ ଅଦା ଓ ଗୋଲମରିଚ ମିଶାଇ ଠାକୁରଙ୍କୁ ଅର୍ପଣ କରାଯାଏ। ଆମର ପଖାଳ ସହ ଅତି ପୁରାତନ ନିବିଡ଼ ସମ୍ପର୍କ। ସେଥିପାଇଁ ମାର୍ଚ୍ଚ ୨୦ ତାରିଖକୁ ଆମେ ପଖାଳ ଦିବସ ରୁପେ ପାଳନ କରନ୍ତି। ପଖାଳକୁ ନେଇ ସମସ୍ତଙ୍କର ପ୍ରିୟ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ “ଆସ ଜୀବନ ଧନ ମୋର ପଖାଳ କଂସା।”ସଙ୍ଗୀତ ସୁଧାକର ସ୍ବର୍ଗତ ବାଳକୃଷ୍ଣ ଦାଶଙ୍କ କଣ୍ଠରେ ଏହି ଗୀତର ଚାହିଦା ଆଜି ବି ରହିଛି।।ଆଲେଖ୍ୟ:: ବାବାଜୀ ଚରଣ ଦାସ ।ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।।