ବିଶ୍ୱ ଷ୍ଟ୍ରୋକ୍ ଦିବସ ୨୦୨୫
ଆଜିକାଲି ଦିନକୁ ଦିନ ଷ୍ଟ୍ରୋକ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରକ୍ତଚାପ, ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡିତ ରୋଗୀ ଏବଂ ଧୂମପାନକାରୀଙ୍କ କ୍ଷେତ୍ରରେ ଏହି ରୋଗର ମାତ୍ରା ଅଧିକ ଦେଖାଯାଉଛି । ତେଣୁ ଏପରି ଏକ ସମସ୍ୟାକୁ ବିନାଶ କରିବା ଏବଂ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ(ଅକ୍ଟୋବର ୨୯)କୁ ‘ବିଶ୍ୱ ଷ୍ଟ୍ରୋକ୍ ଡେ'(World Stroke Day) ଭାବେ ପାଳନ କରାଯାଉଛି।‘ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ’ର ସୂଚନା ଅନୁଯାୟୀ ପ୍ରତିବର୍ଷ ପୃଥିବୀରେ ୭୦ ଲକ୍ଷରୁ ଅଧିକ ଲୋକ ବ୍ରେନ ଷ୍ଟ୍ରୋକରେ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ସେହିପରି ଲକ୍ଷ ଲକ୍ଷ ରୋଗୀ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ଜଟିଳତାର ଶିକାର ହେବା ଫଳରେ ପାରିବାରିକ ସ୍ତରରେ ଆର୍ଥିକ ସମସ୍ୟା ସହିତ ଜାତୀୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି । ବ୍ରେନ୍ ଷ୍ଟ୍ରୋକ୍ କେବଳ ବୃଦ୍ଧା ଅବସ୍ଥାର ରୋଗ ନହୋଇ ଆଜି କମ୍ ବୟସର ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରାନ୍ତ କରୁଛି ।ସୂଚନା ଅନୁସାରେ, ୨୯ ଅକ୍ଟୋବର ୨୦୦୪ରେ, କାନାଡାର ବେଂକ୍ୟୁବର ସହରରେ ୱାର୍ଲ୍ଡ ଷ୍ଟ୍ରୋକ କଂଗ୍ରେସରେ ବିଶ୍ୱ ଷ୍ଟ୍ରୋକ୍ ଡେ ପ୍ରତିଷ୍ଠା କରାଯାଇଥିଲା । ଯାହା ପରେ ୨୦୦୬ ମସିହାରେ ୱାର୍ଲ୍ଡ ଷ୍ଟ୍ରୋକ୍ ଫେଡେରେସନ୍ ଏବଂ ଅନ୍ତର୍ଜାତୀୟ ଷ୍ଟ୍ରୋକ୍ ସୋସାଇଟିର ମିଶ୍ରଣ ସହିତ ୱାର୍ଲ୍ଡ ଷ୍ଟ୍ରୋକ ସଂଗଠନ ଗଠନ କରାଯାଇଥିଲା । ଏହି ଅବସରରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ୱ ଷ୍ଟ୍ରୋକ ଦିବସ ପାଳନ କରିବାକୁ ସଂଗଠନ ନିଷ୍ପତ୍ତି ନେଇଥିଲା । ଆନ୍ତର୍ଜାତୀୟ ସ୍ତରରେ ଏହି ବିଶେଷ ଦିନ ପାଳନ କରିବାକୁ କାନାଡାର ସ୍ନାୟୁବିଜ୍ଞାନୀ ଡ. ଭ୍ଲାଦିମିର୍ ହେଚିନ୍ସକି ଘୋଷଣା କରିଥିଲେ ।
