ବିହାରରେ ପହଞ୍ଚିଲା ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ
ତାମିଲନାଡୁର ମହାବଲୀପୁରମରୁ ବିହାରର ଗୋପାଳଗଞ୍ଜ ସହରରେ ପହଞ୍ଚିଛି ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ । ମିଳିଥିବା ସୂଚନା ଅନୁସାରେ, ଏହି ବିଶାଳ ଶିବଲିଙ୍ଗ ବିହାରର ପୂର୍ବ ଚମ୍ପାରଣରେ ଥିବା ବିଶାଳ ରାମାୟଣ ମନ୍ଦିରରେ ସ୍ଥାପିତ କରାଯିବ । ବିହାର ଯିବା ବାଟରେ ଶିବଲିଙ୍ଗ ଗୋପାଳଗଞ୍ଜରେ ପହଞ୍ଚିବା ମାତ୍ରେ ହଜାର ହଜାର ଲୋକ ଏହାକୁ ଦେଖିବା ପାଇଁ ଏବଂ ଫଟୋ ଉଠାଇବା ପାଇଁ ଏକାଠି ହୋଇଥିଲେ । ଏହି ଶିବଲିଙ୍ଗର ଲମ୍ବା ୩୩ ଫୁଟ ରହିଥିବା ବେଳେ ଓଜନ ୨୧୦ ମେଟ୍ରିନ ଟନ୍ ରହିଛି । ଏହି ବିଶାଳ ଶିବଲିଙ୍ଗର ସ୍ଥାପନା ୧୭ ଜାନୁଆରୀରେ କେସରିୟାର ପ୍ରଖଣ୍ଡ ସ୍ଥିତ ବିରାଟ ରାମାୟଣ ମନ୍ଦିରରେ ବିଧିବିଧାନରେ ସ୍ଥାପିତ ହେବ ।
ତାମିଲନାଡୁର ମହାବଳୀପୁରମରୁ ୨୧ ନଭେମ୍ବରରେ ବାହାରିଥିଲା ଶିବଲିଙ୍ଗ । ପାଖାପାଖି ୪୫ ଦିନ ଯାତ୍ରା କରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ହୋଇ ବିହାରରେ ପହଞ୍ଚିଛି । ଶିବଲିଙ୍ଗ ପହଞ୍ଚିବା ମାତ୍ରେ ଆଖପାଖ ଅଞ୍ଚଳରେ ଭକ୍ତିର ପରିବେଶ ଦେଖିବାକୁ ମିଳିଥିଲା । ଲୋକମାନେ ‘‘ହର ହର ମହାଦେବ , ଓମ୍ ନମଃ ଶିବାୟ’’ ମନ୍ତ୍ର ଧ୍ବନି ଜପିବାକୁ ଲାଗିଥିଲେ । ରିପୋର୍ଟ ଅନୁସାରେ, ଏହି ଶିବଲିଙ୍ଗରେ ପ୍ରାୟ ଏକ ହଜାର ଛୋଟ ଛୋଟ ଶିବଲିଙ୍ଗ ଖୋଦିତ ହୋଇଛି ।ରିପୋର୍ଟ ଅନୁସାରେ, ଜାନୁଆରୀ ୧୭ ତାରିଖରେ ବିରାଟ ରାମାୟଣ ମନ୍ଦିର ପରିସରରେ ପୀଠ ପୂଜା, ଯଜ୍ଞ ଏବଂ ଅନ୍ୟାନ୍ୟ ରୀତିନୀତି ସହିତ ଶିବଲିଙ୍ଗ ସ୍ଥାପନ କରାଯିବ ।
