ବୁଧବାରଠୁ ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
ସମଗ୍ର ରାଜ୍ୟରେ ଏବେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଭୁବନେଶ୍ୱରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ରବିବାର ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୯ ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଥିବାବେଳେ ଏହା ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିଛି। ତେବେ ବୁଧବାରଠାରୁ ରାଜ୍ୟରେ ଥଣ୍ଡା ପ୍ରକୋପ କମିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ । କିନ୍ତୁ ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଶୀତ ଅନୁଭୂତ ହେବ । ମଙ୍ଗଳବାର ରାତିରୁ ତାପମାତ୍ରା ବଢ଼ିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।ଗତ ୨୪ ଘଣ୍ଟାରେ ରାଜ୍ୟର ୫ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। କନ୍ଧମାଳ ଜିଲାର ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ସେଲ୍ସିୟସ ରହିଥିବାବେଳେ, ସେମିଳିଗୁଡ଼ାରେ ୬.୧, ଦାରିଙ୍ଗବାଡ଼ିରେ ୭, ଫୁଲବାଣୀରେ ୮ ଏବଂ ଝାରସୁଗୁଡ଼ାରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି।
