ବ୍ରାଜିଲ ମଡେଲ ରାଜନୀତି ଭିତରେ ରାହୁଲଙ୍କ ଅଭିଯୋଗ ଉପରେ ଆସିଲା ବ୍ରାଜିଲରୁ ପ୍ରତିକ୍ରିୟା

ରାହୁଲ ଗାନ୍ଧୀ ହରିୟାଣାର ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ କରିଛନ୍ତି। ଏହି ବିବାଦ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି। ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀରେ ଦେଖାଯାଇଥିବା ଭୋଟର ପରିଚୟପତ୍ର ଫଟୋ ଏବେ ବିବାଦର ବିଷୟ ପାଲଟିଛି। ତେବେ ବ୍ରାଜିଲର ଜଣେ ମଡେଲ ହରିୟାଣାରେ ୨୨ ଥର ଭୋଟ୍ ଦେଇଥିବା ଅଭିଯୋଗ ଓ ସେହି ମଡେଲଙ୍କ ଫଟୋ ରାହୁଲ ଗାନ୍ଧୀ ଦେଖାଇବା ଉପରେ ପ୍ରକ୍ରିୟା ରଖିଛନ୍ତି ବ୍ରାଜିଲର ଜଣେ ମଡେଲ । ବ୍ରାଜିଲ ମଡେଲ ଲାରିସା ନେରି କହିଛନ୍ତି ଯେ ରାହୁଲ ଗାନ୍ଧୀ ଦେଖାଇଥିବା ଫଟୋ ମଧ୍ୟରେ ତାଙ୍କର ଏକ ଫଟୋ ରହିଛି ଓ ତାହା ତାଙ୍କର ୨୦ ବର୍ଷ ବୟସର ଫଟୋ । ସୋସିଆଲ ମିଡିଆରେ ଲାରିସା ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ତାଙ୍କ ପାଖକୁ ବହୁ ଫୋନ୍ ଆସୁଛି ଓ ସେ ଏନେଇ ଆଶ୍ଚର୍ଯ୍ୟ ପ୍ରକାଶ କରବା ସହ ବ୍ୟତିବ୍ୟସ୍ତ ଅଛନ୍ତି । ଏହା ଏକ ଜୋକ୍ ବା ଥଟ୍ଟା ମଜା ଏବଂ ଭାରତ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଲାରିସା ସ୍ପଷ୍ଟ କରିଛନ୍ତି । ଏହି ସମୟରେ, ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଖାରଜ କରିଦେଇଛନ୍ତି। କମିଶନ କହିଛନ୍ତି ଯେ ଯଦି କୌଣସି ବୁଥରେ ଫଟୋ କିମ୍ବା ପରିଚୟପତ୍ରରେ କୌଣସି ବିସଙ୍ଗତି ଥାଏ, ତେବେ କଂଗ୍ରେସ ପୋଲିଂ ଏଜେଣ୍ଟ ତୁରନ୍ତ ଆପତ୍ତି ଉଠାଇବା ଉଚିତ ଥିଲା, କିନ୍ତୁ ଏପରି କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ। ଏହି ସମୟରେ, ଦି ଇଣ୍ଡିଆନ ଏକ୍ସପ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କ ‘ଭୋଟ ଚୋରି’ ଦାବିର ତଦନ୍ତ କରିଥିଲା ଏବଂ ଜାଣିଥିଲା ଯେ ଅନେକ ଉଦାହରଣ ତଥ୍ୟଗତ ଭାବରେ ଭୁଲ ଥିଲା। ଉଦାହରଣ ସ୍ବରୂପ, ରାହୁଲ ଗାନ୍ଧୀ ହରିୟାଣାର ହୋଡାଲ ଅଞ୍ଚଳରେ ଏକ ଘରର ଉଲ୍ଲେଖ କରିଥିଲେ ଯେଉଁଠାରେ ‘୫୦୧ ଭୋଟର’ ପଞ୍ଜୀକୃତ ହୋଇଥିଲେ। ଏହା ଜଣାପଡ଼ିଲା ଯେ ଏହା ଏକ ବଡ଼ ପାରିବାରିକ ଜମି ଥିଲା ଯେଉଁଠାରେ ଚାରି ପିଢ଼ି ଭିନ୍ନ ଭିନ୍ନ ସ୍ଥାନରେ ବାସ କରନ୍ତି, କିନ୍ତୁ ସମସ୍ତେ ସମାନ ଘର ନମ୍ବର ଶେୟାର କରନ୍ତି।