ଭାରତରୁ ଏଭରେଷ୍ଟ ଫିସ୍ କରୀ ମସଲା ଆମଦାନୀ ଉପରେ ରୋକ

ପ୍ରଥମେ ନେସଲେ, ଏବେ ଏଭେରେଷ୍ଟ । ନେସଲେ କମ୍ପାନୀ ଉତ୍ପାଦ ଉପରେ ପ୍ରଥମ ପ୍ରଶ୍ନ ଉଠିଥିଲା ତ ଏବେ ଏଭେରେଷ୍ଟର ମାଛ ମସଲାକୁ ନେଇ ପ୍ରଶ୍ନ ଉଠିଛି । ଭାରତର ଚର୍ଚ୍ଚିତ ମସଲା ବ୍ରାଣ୍ଡ ଏଭରେଷ୍ଟର ‘ଫିସ୍‌ କରୀ’ ଉପରେ ପ୍ରତିବନ୍ଧକ ଲଗାଇଛି ସିଙ୍ଗାପୁର । ଏପ୍ରିଲ ୧୮ରେ ଜାରି ଏକ ବୟାନ ଅନୁଯାୟୀ, ସିଙ୍ଗାପୁରର ଖାଦ୍ୟ ସୁରକ୍ଷା ଏଜେନ୍ସୀ, ଏଭରେଷ୍ଟର ‘ଫିସ୍‌ କରୀ’ ମସଲାକୁ ବଜାରରୁ ଫେରାଇନେବାକୁ ଆଦେଶ ଦେଇଛନ୍ତି।
ପ୍ରକୃତରେ ଅଭିଯୋଗ ହୋଇଛି ଯେ, ଭାରତରୁ ଆମାଦାନୀ ହେଉଥିବା ଏହି ମସଲାରେ, ଏଥିଲୀନ୍‌ ଅକ୍ସାଇଡ୍‌ ନାମକ କୀଟନାଶକ (ପେଷ୍ଟିସାଇଡ)ର ମାତ୍ରା ଅଧିକ ମିଳିଛି। ଯାହା ମାନବଶରୀର ପାଇଁ ଉପଯୁକ୍ତ ନୁହେଁ।

ଏହି ଅଭିଯୋଗ ପରେ ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ (ଏସଏଫଏସ) ମସଲାର ଆମାଦାନୀ କରୁଥିବା ଏସପୀ ମୁଥୈୟା ଆଣ୍ଡ୍‌ ସନ୍ସକୁ ଉତ୍ପାଦକୁ ଫେରାଇନେବାକୁ ନିର୍ଦ୍ଦେଶ ଦେଇଛି। ସିଂଗାପୁର ନିୟମ କ୍ରମରେ ମସଲାର ଗୁଣବତ୍ତା ବୃଦ୍ଧି କରିବାକୁ ସେଥିରେ ଏଥିଲିନ୍ ଅକ୍ସାଇଡ ମିସାଇବାର ପ୍ରାବଧାନ ରହିଛି । ହେଲେ ଏଭେରେଷ୍ଟ ମାଛ ମସଲାରେ ଏହାର ପରିମାଣ ଅଧିକ ରହିଛି । ଯାହା ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହାନୀକାରକ ।ସେପଟେ ସିଙ୍ଗାପୁର ଫୁଡ ଏଜେନ୍ସି କହିଛି କି, ଏହି ମସଲା ଯେଉଁ ଲୋକମାନେ ବ୍ୟବହାର କରିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାପ୍ରକଟ କରାଯାଇଛି । ସେମାନଙ୍କୁ ତୁରନ୍ତ ମେଡିକାଲ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଏକ ସତର୍କ ସୂଚନା ଜାରି କରାଯାଇଛି ।