ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍ଦାର
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ କଣ୍ଟାପଡା ତହସିଲଦାର OAS ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ୭ଟି ସ୍ଥାନରେ ଏକକାଳୀନ ତଲାସୀ ଆରମ୍ଭ କରାଯାଇଛି । କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଚଢାଉ କରାଯାଉଛି ।ଭୁବନେଶ୍ୱର ସହିଦନଗରରେ ଥିବା ଏକ ଆବାସିକ ତିନି ମହଲା କୋଠା, ପୁରୀ ଗଡିଶଗଡାରେ ଥିବା ପୈତୃକ ଘର, ଭୁବନେଶ୍ଵର ଲକ୍ଷ୍ମୀସାଗରରେ ଥିବା ସମ୍ପର୍କୀୟଙ୍କ ଘର , କଟକ ଜିଲ୍ଲା କଣ୍ଟାପଡାରେ ଥିବା ଅଫିସ୍ ଚାମ୍ବର , କେନ୍ଦ୍ରାପଡାରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର ଏବଂ କଣ୍ଟାପଡାରେ ଥିବା ସରକାର କ୍ଵାଟର୍ସରେ ଚଢାଉ ଜାରି ରହିଛି।ଓଡ଼ିଶା ଭିଜିଲାନ୍ସ ଦ୍ୱାରା 2 ଜଣ ଅତିରିକ୍ତ ପୋଲିସ ଅଧୀକ୍ଷକ (ଅତିରିକ୍ତ ଏସପି), 8 ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP), 11 ଜଣ ଇନ୍ସପେକ୍ଟର, 5 ଜଣ ସହାୟକ ଉପ-ନିରୀକ୍ଷକ (ASI) ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅଛନ୍ତି | ଓଏଏସ ଅଧିକାରୀ ପ୍ରସନ୍ନ ସାମନ୍ତରାୟଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭିଜିଲାନ୍ସ ଅଧିକାରୀମାନେ କହିଛନ୍ତି ଯେ, ତଲାସୀ ପ୍ରକ୍ରିୟା ଏବେ ବି ଜାରି ରହିଛି ଏବଂ ସମ୍ପତ୍ତି, ଡକ୍ୟୁମେଣ୍ଟ ଏବଂ ଅନ୍ୟାନ୍ୟ ପ୍ରମାଣର ଯାଞ୍ଚ ବର୍ତ୍ତମାନ ଚାଲିଛି । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଅଧିକ ବିବରଣୀ ପ୍ରକାଶ କରାଯିବ ।
