ଭୋଜି ଖାଦ୍ୟ ଖାଇ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର

ଖାଦ୍ୟରେ ବିଷକ୍ରିୟା! ଏଥିଯୋଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ୍‌ । ତାଙ୍କ ସମେତ ପରିବାରର ୪ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ପଦ୍ମିନୀଙ୍କ ନଣନ୍ଦ ପାର୍ବତୀ ମାଝୀ(୨୮)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୟପୁରରେ ଥିବା ଜିଲ୍ଲା ହସ୍ପିଟାଲ୍‌ରେ ଦେହାନ୍ତ ହୋଇଯାଇଛି। ପଦ୍ମିନୀ ଏବଂ ଅନ୍ୟ ୨ଜଣ ମହିଳାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ରିପୋର୍ଟ ଅନୁସାରେ, ଜଗଦଲପୁରରୁ ଫେରିଥିବା ପରିବାର ସଦସ୍ୟମାନେ ପଦ୍ମିନୀ ଏବଂ ତିନି ଜଣ ମହିଳାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖି ତୁରନ୍ତ ସେମାନଙ୍କୁ କୋଟପାଡ଼ର କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନେଇଯାଇଥିଲେ । ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜୟପୁରର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (DHH)କୁ ସ୍ଥାନାନ୍ତର କରାଯାଇଥିଲା ।

ପଦ୍ମିନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ, ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇ ମହିଳାଙ୍କର ଚିକିତ୍ସା ଜୟପୁରର ଡିଏଚ୍ଏଚରେ ଜାରି ରହିଛି । ପରିବାର ପକ୍ଷରୁ ରୋଗର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ, ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହା ଖାଦ୍ୟ ବିଷାକ୍ତର ଏକ ସମ୍ଭାବ୍ୟ ମାମଲା ବୋଲି ସୂଚିତ କରାଯାଉଛି । ତେ‌ବେ ଏନେଇ ଅଧିକ ତଦନ୍ତ ଚାଲିଛି ।ସୂଚନାଯୋଗ୍ୟ, ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ପଦ୍ମିନୀ ୨୦୧୯ ମସିହାରେ ଓଡ଼ିଶା ସରକାରରେ ବୟନଶିଳ୍ପ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। କୋଟପାଡ଼ର ପୂର୍ବତନ ବିଧାୟିକା ପଦ୍ମିନୀ ଦିଆନ ଥିଲେ ।