ମମତାଙ୍କୁ ପୋଲିସ ମାନୁନାହାନ୍ତି: ମନମୋହନ
ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ମମତା ନାମକୁ ମାତ୍ର ଶାସନ ବ୍ୟବସ୍ଥାରେ ବସିଛନ୍ତି। ଜଣେ ମହିଳା ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ମଧ୍ୟ ସୁରକ୍ଷା ଦେଇ ପାରୁ ନାହାନ୍ତି।ମମତାଙ୍କ ହାତରେ କ୍ଷମତା ନାହିଁ, ତାଙ୍କୁ ପୋଲିସ ମାନୁ ନାହାନ୍ତି।ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡିଛି । ମମତା ବାନାର୍ଜୀ ଯେଭଳି ପ୍ରତିକ୍ରିୟା ରଖିଲେ ତାହା ମଧ୍ୟ ଦୁର୍ଭାଗ୍ୟ ଜନକ । ସୂଚନାମୁତାବକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବେଦନଶୀଳ ଘଟଣାରେ ଖାମଖିଆଲ ମନ୍ତବ୍ୟ ଦେଇଛନ୍ତି। ଦିଦି କହିଛନ୍ତି, ଘଟଣା ବାବଦରେ ମୋତେ ନୁହେଁ ପୋଲିସକୁ ପଚାର। ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ। ରାତି ସାଢ଼େ ୧୨ ପରେ କଲେଜ ବାହାରକୁ ଯିବାର ଆବଶ୍ୟକତା କଣ ବୋଲି ପ୍ରଶ୍ନ କରିବା ସହ ଓଡ଼ିଶାରେ ଦୁଷ୍କର୍ମ ଘଟଣାର ଉଦାହରଣ ରଖି ଦୋଷ ଝାଡି ଦେଇଛନ୍ତି।
ମମତାଙ୍କୁ କଡ଼ା କାଉଣ୍ଟର ସହ ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, RG କର ଘଟଣା ପରେ ତାଙ୍କ ବିଷୟରେ ଦୁନିଆ ଜାଣିଛି। ମମତାଙ୍କ କଥାରୁ ଜଣାପଡୁଛି ସେ ଓଡ଼ିଶାକୁ ଟପିବା ପାଇଁ ଚାହୁଁଛନ୍ତି। ଅନୁପ୍ରବେଶକାରୀକୁ ପ୍ରୋତ୍ସାହନ ଓ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।
ଆରଜି କର ପରେ ଦୁର୍ଗାପୁରରେ ଘରୋଇ ମେଡିକାଲ କଲେଜରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସାରା ଦେଶକୁ ସ୍ତବ୍ଧ କରିଛି।
